ଯାଦୁ
ଯାଦୁ
ଯାଦୁ ଖେଳ ପଡିଆରେ ଖେଳା ଯାଇଥାଏ
ନାନା ରଙ୍ଗ କୌଶଳେ ସେ ଜନ ମନ ମୋହେ।
ବାଜିକର ମାନେ ଖେଳ ଥାଆନ୍ତି ଦେଖାଇ
ଯାଦୁ ଖେଳ ବୋଲି ଜନେ ତାକୁ ଥାନ୍ତି କହି ।
କେତେ ଯେ ଅସଂଖ୍ୟ ଭଜ ବାଜି ଇନ୍ଦ୍ର ଜାଲ
ଜିଅନ୍ତା ମାଛ କାଢଇ ଶୂନ୍ୟେ ମେଲି ଜାଲ ।
ଧରି ଆଣେ ସାପ , ବେଙ୍ଗ , ଗେଣ୍ଡା , ଧଣ୍ଡ ଆଦି
ଚକ୍ଷୁ - ବନ୍ଧନରେ ସେହି ବହୁ କାର୍ଯ୍ୟ ସାଧି ।
ଝଲ ମଲ ବେଶ ଭୂଷା ପୋଷାକ ଓ ଭେକ
ଭାଷଣ ବାଜିର ବାଜି କରେ ଚକ ମକ ।
ବୁଦ୍ଧି , ବୃତ୍ତି , ବଣା କରି ଦିଏ ଯାଦୁକର
ଇନ୍ଦ୍ରଜାଲ ଦଣ୍ଡ ଶୋଭା ପାଏ ତାଙ୍କ କର ।
ମ୍ୟାଜିକ ବାଡି ଛୁଆଇଁ ଶୂନ୍ୟରୁ ସେ କାଢେ
ବହୁତ ଅଦ୍ଭୁତ ଚିତ୍ର ରାଜି ନିତି ଗଢେ ।
ବିଡା ବିଡା ନୋଟ ବର୍ଷା କରଇ ଶୂନ୍ୟରୁ
ବସ୍ତା ବସ୍ତା ପଇସା ସେ କାଢେ ଖାଲି ପାତ୍ରୁ ।
ରୁମାଲ ଗାମୁଛା ଆଦି ଘୋଡାଇ ନିମିଷେ
ଲୁଚାଏ ଓ କାଢେ ବହୁ ବସ୍ତୁ ନାନା ମତେ ।
ଶୂନ୍ୟରୁ କାଢେ ସେ ମିଠା , ବଡା ଓ ପିଆଜି
ଫୁଲ , ଫଳ , କ୍ଷୀର , ନୀର , ବହୁ ଦ୍ରବ୍ୟ ରାଜି ।
ପାଟିରୁ ବାହାର କରି ଆଣେ ମାଳ ମାଳ
ନାନା ଦ୍ରବ୍ୟ , ସାଥେ ତୀକ୍ଷ୍ଣ ଧାର ଯୁକ୍ତ ଖୁର ।
ସ୍ଵର୍ଗ ଅପସରୀ କେତେ କାଢଇ ସେ କ୍ଷଣେ
ଉଭାଇ ଦିଏ ଯେ କେତେ ଦ୍ରବ୍ୟକୁ ତକ୍ଷଣେ ।
ବାଜୁ ଥାଏ ବାଜା ତାଳି ମାରନ୍ତି ଦର୍ଶକ
କାଟି ଖଣ୍ଡ ଖଣ୍ଡ କରେ ସେ ଜୀବନ୍ତ ଲୋକ ।
ଫଳ ଫୁଲ ନାନା ଦ୍ରଵ୍ୟ , କରଇ ବାହାର
ଯାଦୁ ବାଡି କରାମତି ବୋଲି ସୁପ୍ରଚାର ।
ହୁଏ ସିନା ଅସଲରେ ବିଜ୍ଞାନ ବଳରେ
ଦେଖାଇ ଥାଏ ସେ ନାନା ଖେଳ ଚମତ୍କାରେ ।


