ଧୂଳି ଝଡ଼ର ହରର୍ ଫିଲ୍ମ
ଧୂଳି ଝଡ଼ର ହରର୍ ଫିଲ୍ମ
କେବେକେବେ ଆକାଶ
ଧୂମାଳ, ଗମ୍ଭୀର ଦିଶେ
ଅଚାନକ ବହି ଆସେ ।
ଉଦଣ୍ଡୀ ଧୂଳି ଝଡ।
କ୍ଳାନ୍ତ ଅପରାହ୍ନ ଆଖିରେ
ଜମିଯାଏ ପରସ୍ତ ପରସ୍ତ
ଧୂଳିକଣାର ଆସ୍ତରଣ।
ଆଚ୍ଛନ୍ନ କରେ ରାସ୍ତା ଘାଟ,
ଘରଦ୍ବାର ବହଳ ରଂଗରେ।
କ୍ଷଣିକରେ ମରୁଭୂମିର ଭ୍ରମ
ଖେଳିଯାଏ ମନଶ୍ଚକ୍ଷୁରେ।
ଓଟ ପିଠିରେ କୁଜ ଭଳି
ବସ୍ତୁବାଦୀ ଚେତନାର ବୋଝ
ବୋହି ଚାଲୁଥିବା ମଣିଷ
ଜାଣିନି କେବେଠୁ ପହଞ୍ଚି
ସାରିଛି ମରୁଭୂଇଁ ସୀମାରେ
ଆଗରେ ଖାଲି ବାଲି ସମୁଦ୍ର ।
ମରୁଦ୍ୟାନ ଭ୍ରମ ତୋଳି ନିୟତ
ଉଭେଇ ଯାଉଛି ଗଛବୃଚ୍ଛ,
ଛାଇର ସାହାରା ।
ଚାରିଆଡେ ନଂଗଳା ଦିଶୁଛି
ବୃକ୍ଷଶୂନ୍ୟ ଟାଂଗରା ଭୂଇଁ
ବିଷ ବାଷ୍ପର ବଳୟ ତଳେ
ବଢି ଚାଲିଛି କଂକ୍ରିଟ ଜଙ୍ଗଲ
ଆକାଶର ଆସ୍ପର୍ଦ୍ଧାକୁ ଛୁଇଁବା
ସ୍ବପ୍ନରେ ଭାସୁଛି ସ୍ବାର୍ଥପର ମଣିଷ ।
ମୃତ୍ୟୁର ଜାଲ ବିଛାଇ ଉଜାଡି
ଚାଲିଛି ଦିନକୁଦିନ ପରିବେଶ ।
ଆଗରୁ କେହି ଦେଖି ବି
ଦେଖି ନ ଥିଲେ କଣ୍ଟାଳିଅ।
ସିଜୁବଣ କେମିତି ଗଜୁରୁଥିଲା
ମାଟିରେ, ଧୀରେଧୀରେ
କାୟା ବଢାଉଥିଲା ଧୂଳି,
ବାଲିର ଝଡ଼, ପରିବେଶର
ଫଙ୍ଗୁଳା ଧୂସର ପିଠିରେ।
ଛଳକପଟୀ, ସ୍ବାର୍ଥପର ମଣିଷ
ଜାଣେନି କେବେଠୁଁ ପାଲଟି
ଗଲାଣି ନିଜେ କୁଜା ଓଟ ।
ବାଲି ସମୁଦ୍ରକୁ ଅ।ବାହନ କରି
ଗଛ କାଟି ଫିଟାଉଛି ବାଟ।
ଶୋଷ ବେଳେ ପିଇବାକୁ
ପିଠି କୁଜରେ ସଞ୍ଚି ରଖୁଛି
"ଗୁପ୍ତଧନ" ପାପର ଗରଳ।
ନିଜେ ନାୟକ ସାଜି ତିଅ।ରି
କରୁଛି ଧ୍ବଂସର ହରର ଫିଲ୍ମ ।
ଶୁଖିଲା ଓଠକୁ ଭିଜାଉଛି
ରଂଗ ପିଆଲାରେ।
ଆକାଶକୁ ଉଠୁଛି ବାଲିଝଡ
" ଉଠୁ ପରବାୟ ନାହିଁ "
ଅ।ଖି ପିଛୁଳାକେ ଗଢିଦେବ
ବାଲିର ପାହାଡ, " ଚିନ୍ତା ନାହିଁ "
ପବନରେ ଭଉରୀ ଖେଳୁଛି
ବିଷଜ୍ବାଳା " ଖେଳୁ ଥାଉ !!"
ମୃତ୍ୟୁର ଡାକ ଛାଡୁଛି ସମୟ
" ଛାଡୁ ଥାଉ, ଖାତିର ନାହିଁ !!"
ପ୍ରକୃତି କେତେ ରାଗିବ, " ରାଗୁ "
ବାଲିର ଝଡ଼ ଉଠିବ " ଉଠୁ ",
ଆସ, ଆଜିଠୁ ବାଲିରେ ଚାଲି
ଶିଖିବା !! ଓଟ ଆଖିରେ ଚିତ୍ର
ଆଙ୍କି ଆମେ ଧାଉଁଥିବା
ସ୍ବପ୍ନର ମରୁଦ୍ୟାନ ଆଡକୁ ।
ବାଲିଝଡ଼କୁ ଓଟ ଡରେକି ?
ଶୋଇପଡେ ପେଟେଇ।
*******

