ଅତୃପ୍ତ ଆତ୍ମା
ଅତୃପ୍ତ ଆତ୍ମା
ଶ୍ଵେତା ବୋଲି ଥିଲା ଝିଅଟିଏ
ଦଶମ ଶ୍ରେଣୀରେ ପଢ଼େ ସିଏ
ଚହଟ ଚିକ୍କଣ ଚେହେରାଟି ତାର
ବୁଦ୍ଧିରେ ଗୁଣରେ ସରି କିଏ |
ନବ ଅଙ୍କୁରିତ ଯଉବନ
ଛନଛନ ତାର ତନୁମନ
ଗଜା ଉରଜାର ସରୁକରଜାର
ରାଜହଂସୀ ଚାଲି ମୋହେ ମନ |
ଦିନେ ଟିଉସନ ଯାଇଥିଲା
ସଂଜରେ ଘରକୁ ଫେରୁଥିଲା
ଏତିକି ବେଳରେ କଳାନାଗଟିଏ
ପାଦକୁ ତାହାର ଦଂଶିଦେଲା |
ଚାହୁଁ ଚାହୁଁ ବିଷ ଯାଏ ଚଢ଼ି
ଅଚେତ ହୋଇ ସେ ଗଲା ପଡ଼ି
ଅକାଳେ ଲିଭିଲା ଜୀବନ ପ୍ରଦୀପ
ମଶାଣିରେ ନେଇ ଦେଲେ ପୋଡ଼ି |
ଯେଉଁ ଗଛମୂଳେ ପଡିଥିଲା
ସଞ୍ଜ ହେଲେ କେହି ଜଣେ ଭଲା
ନଗଲେ ନିକଟେ ଗଲେ ଅନ୍ୟ ବାଟେ
ଅତୃପ୍ତ ଆତ୍ମା ତା ଘୂରୁଥିଲା |
ଲୋକମାନେ ହେଲେ କୁହାକୁହି
ଶ୍ଵେତା ଶ୍ୱେତ ଲୁଗା ପିନ୍ଧିଛଇ
ରାତିସାରା ସିଏ ତୋଟାରେ ବୁଲୁଚି
କାନ୍ଦୁଅଛି ଖାଲି କଇଁ କଇଁ |
ନୂଆ ବୋହୁ ଜଣେ ସେହି ପଥେ
ଯାଉ ଥିଲା ତାର ଭାଇସାଥେ
ଅତୃପ୍ତ ଆତ୍ମାଟି ତାହା ଦେହେ ଘୋଟି
ଉଭା ହେଲା ଘରେ ଉଗ୍ର ମତେ |
ବଡ଼ ଗୁଣିଆକୁ ଡକା ହେଲା
ଝୁଣାଧୁପ ନିଆଁ ଚେଙ୍କ ଦେଲା
କରୁ ବେତ୍ରାଘାତ କହେ ଯୋଡ଼ି ହାତ
ଶ୍ଵେତା ମୁଁ ଆସିଛି ଶୁଣ ଭଲା |
ଜିଇଁ ଥାଉଁ ଥାଉଁ ଦେଲେ ପୋଡ଼ି
ଉଠିପଡ଼ୁ ବଳେ ଦେଲେ ମାଡ଼ି
କିଶୋର କୁ ମୁହିଁ ବାହା ହୋଇଥାନ୍ତି
ପଳାଇଛି ସିଏ ଗାଁ ଛାଡ଼ି |
କିସ ନେଇ ଏବେ ଯିବୁ ତୁହି
କହିଲା ମୋର କିଛି ଲୋଡ଼ା ନାହିଁ
ସମାଧି ଗୋଟିଏ କରିବ ମୋ ପାଇଁ
ଦୀପଟିଏ ଜାଳି ଦେବ ତହିଁ |