ଭାବନାରେ ଭୟଭୀତ
ଭାବନାରେ ଭୟଭୀତ


ସପନା ବୋଲି ପିଲାଟିଏ ସେ ଭାରି ଡଉଲ ଡାଉଲ
ପଢଇ ପାଠ ସେ ଭଲ ଚାଟ ସଭିଏଁ କହନ୍ତି ଭଲ ।
ଖେଳ କୁଦରେ ଏକ ନମ୍ବର ସୁନ୍ଦର ସ୍ବାସ୍ଥ୍ୟ ତା'ର
ସାଙ୍ଗସାଥି କହନ୍ତି ସେ କରେ ଉତ୍ତମ ବ୍ୟବହାର ।
ଅଦିନ ଝଡ଼ ଆସିଲା ମାଡ଼ି ନୀରବ ହୋଇଗଲା
ମୁକ ପରିକା ବସିଲା ଖାଲି ବଲବଲ ଚାହିଁଲା।
ଖାଇଲା ନାହିଁ ପଢିଲା ନାହିଁ ବୁଲେ ଗାଁ ଦାଣ୍ଡରେ
କାହାକୁ ଚିହ୍ନି ପାରଇ ନାହିଁ ଲୁଗା ରଖେନା ଦେହରେ ।
ବିଧବା ମାଆ ବିଧବା ଆଈ ହାତରେ ମୁଣ୍ଡ ଦେଲେ
ଅଭିଶପ୍ତ ସେ ପରିବାରରେ ଗୋଟେ ବି ପୁଅ ନାହିଁ ।
କହନ୍ତି ଲୋକେ ଅବିଶ୍ୱାସର କାହାଣୀ କେତେ କେତେ
ଦାଣ୍ଡ ଦୁଆର ତାଳ ଗଛରେ ଅଛନ୍ତି ଆତ୍ମା ଯେତେ ।
ଅନ୍ଧାର ଯେତେ ଗହଳ ହୁଏ ନିରୋଳା ରାସ୍ତା ହୁଏ
ଭୟଙ୍କର ମାନ ଶବଦ ବିକଟାଳ ଛାୟା ଦେଖାଯାଏ।
କାହାର ଅଭିଶାପ ଯୋଗୁଁ ସେ ବଂଶର ଯେତେ ପୁରୁଷ
ଅଳ୍ପ ବୟସେ ମୃତ୍ୟୁ ବରଣ ସେ ଘରୁ ଲିଭେ ହସ ।
ସେ ଆତ୍ମାମାନେ ଅତୃପ୍ତ ଭାବେ ଚତୁର୍ପାର୍ଶ୍ବେ ବୁଲନ୍ତି
ଅସ୍ବାଭାବିକ ଘଟଣାମାନ ସଦା ଭିଆଉ ଥାନ୍ତି ।
ପୋଖରୀ କୂଳ ଆର ପଟରେ ଥାଇ ତାଳି ମାରନ୍ତି
ନୀଳ ଆଲୋକ ଏପଟରୁ ସେପଟ ବୁଲୁ ଥାଆନ୍ତି ।
ଏକଦା ସନିଆଁ ପୂଜା ପୂର୍ବ ରାତିର କଥା ଇଏ
ଚୁଡା କୁଟିବା ପାଇଁ ଧାନକୁ ପାଣିରେ ଭିଜେଇ ଥାଏ ।
ସାହିର ଜଣେ ଖୁଡୀକୁ କହେ ଶୋଇବୁ ଆଜି ମୋ ଘରେ
ରାତି ଅଧରୁ କୁଟିବା ଚୁଡା ସରିବ ରାତି ପାହିଲେ ।
ହଁ ଭରି ସେ ମହିଳା ଗଲେ ସଂଜରେ ଆସିଲେ ନାହିଁ,
ଖାଇପିଇ କି ସପନା ମାଆ ଘୁଙ୍ଗୁଡ଼ି ମାରିଲେ ଶୋଇ ।
କେଜାଣି କେତେ ରାତି ହୋଇଛି ଡାକିଲେ କିଏ ଆସି
କବାଟ ଖୋଲ ସପନା ବୋଉ ଉଭା ମୁଁ ଦୁଆରେ ଆସି ।
ରାତି ଅଧରୁ ରାତି ପାହିଲା ଚୁଡା କୁଟା ସରିଲା
ଶେଷରେ ଗଲେ ପୋଖରୀ ପାଣି ତା ପରେ ଚେତା ବୁଡିଲା ।
ସପନା ବୋଉ ଅବସ୍ଥା ଦେଖି ଲୋକେ ପାଣି ଛାଟିଲେ
କହିଲା ଯାହା ଶୁଣି ଲୋକ ଯେ ଆଶ୍ଚର୍ଯ୍ୟ ହୋଇଲେ ।
ଭୟାନକ ଦୃଶ୍ୟ ଦେଖି ସହି ଛାତି ସହି ନ ପାରିଲା
ଦୁର୍ବଳ ମନେ ଏଭଳି ଭୟେ ଆତ୍ମାର କାର୍ଯ୍ୟ ଭାବିଲା ।।
ଘଟେ ଏଭଳି ଘଟଣାସବୁ ଶୁଣିଛୁ କର୍ଣ୍ଣେ ତାହା
ଯାହା ବି ହେଉ ଅନେକ ଚୁଡା ବିକିଲା ସପନା ମାଆ।