ଖଳନାୟକ
ଖଳନାୟକ
କୁତ୍ସିତ କରାଳ ବିଭତ୍ସ ସ୍ୱରୂପ
ଖଳନାୟକ ଅନ୍ତର
ଅଟେ ଅସହିଷ୍ଣୁ କୁଟିଳ ମାନସ
ପ୍ରବୃତ୍ତି ନୀଚ୍ଚ ବର୍ବର ।
ଦେଖି ପରପୀଡା ଶୋକ ଅପମୃତ୍ୟୁ
ହୃଦ ତା କୁରୁଳି ଉଠେ
ବିଷକୁମ୍ଭ ସମ ଭିତରେ ଗରଳ
ପୟମୁଖ ଭାଷେ ମିଷ୍ଟେ ।
ଭାବଇ ନିଜକୁ ଅଧିକ ଚତୁର
ଅଭେଦ୍ୟ ତା ମାୟାଜାଲ
ବିଜୟ ତାହାର ଅଟେ ସୁନିଶ୍ଚିତ
କୁଶଳୀ ସେ କଳାକାର ।
ଛଳେ ହେଉ ବଳେ ସମଗ୍ର ବିଶ୍ୱକୁ
କରିବ ସେ କରାୟତ୍ତ
ସର୍ବ ଶକ୍ତିମାନ ଈଶ୍ୱର ନିଜକୁ
ଭାବେ ଦୁର୍ଜନ ନାୟକ ।
ଭିଆଏ ନିଜେ ସେ ରୋଗ ମହାମାରୀ
ଦୁରାବସ୍ଥା ଦୁର୍ବିପାକ
ତ୍ରସ୍ଥ ଓ ତଟସ୍ଥ ଜନତାଙ୍କୁ ଦୁସ୍ଥ
କରେ ଯୁଦ୍ଧ ରକ୍ତପାତ ।
ଚଢ଼ାଇ ଦିଏସେ ଗଛ ଉପରକୁ
ମୂଳକୁ ପକାଏ ହାଣି
ବଇଦ ହୋଇ ସେ ଦିଏ ଅଉଷଧି
ଗୁଣିଆ ଝାଡେ ଡାହାଣୀ ।
ବିଫଳ ହୁଅଇ ଶକୁନୀର ସ୍ୱପ୍ନ
ଜିଣଇ କେବଳ ପୁଣ୍ୟ
ସମ୍ଭବନ୍ତି ସ୍ୱୟଂ ଭଗବାନ କୃଷ୍ଣ
ଖଳ ନାଶ ଅନିବାର୍ଯ୍ୟ ।

