ନିଜର କିଏ
ନିଜର କିଏ
ରହିଛି ପ୍ରଚ୍ଛନ୍ନ ଦେହେ ଯେଉଁ ଶକ୍ତି
କହୁଛି ମୁଁ ଓ ମୋର
ଅମୃତ ସେ କଣ ସତ ଚିତ ଆତ୍ମା
କେବଳ ଅଟେ ନିଜର ।
ପ୍ରତ୍ଯେକଟି ଆତ୍ମା ପରମାତ୍ମାଙ୍କର
ଅଟଇ ଅଂଶ ବିଶେଷ
ଏଣୁ ପରମାତ୍ମା ପ୍ରତିଟି ଜୀବର
ପ୍ରିୟ ନିଜର ଅବଶ୍ଯ ।
ମାତାପିତା ବନ୍ଧୁ ପ୍ରିୟ ପରିଜନ
ବନ୍ଧୁ ସଖା ସହୋଦର
ଛାଇ ଆଲୁଅର ଲୁଚକାଳି ଖେଳ
ଅଢେଇ ଦିନ ସଂସାର ।
ମାୟା ମରିଚିକା ସୁନାର ହରିଣୀ
ସୁଖ ପଛେ ମନ ଧାଏଁ
ଆସି ଖାଲିହାତେ ଦିନେ ପୁଣି ନିଶ୍ଚେ
ଖାଲି ଫେରିବାକୁ ହୁଏ ।
ଥାଉ ଯେତେ ଧନ ହୀରା ନୀଳା ମୋତି
ସମ୍ପତ୍ତି ଅଚଳାଚଳ
ଯାଏ ନାହିଁ କିଛି ମଲାବେଳେ ସାଥେ
ନୁହଁଇ ତାହା ନିଜର ।
କରିଣ ପ୍ରଯତ୍ନ ସୁକର୍ତ୍ତବ୍ଯ କର୍ମ
ଅରଜିପାରେ ଯେ ପୁଣ୍ଯ
ଭୋଗ ହୋଇଥାଏ ତାହାର ସୁଫଳ
ଲଭେ ଆତ୍ମା ପୁନର୍ଜନ୍ମ ।
ହୁଏ ନାହିଁ କ୍ଷୟ ସତ୍ଯ ଓ ଧର୍ମର
ଆତ୍ମା ଅଜର ଅମର
ଭୋଗିବାକୁ ହୁଏ ନିଜ କର୍ମଫଳ
କର୍ମ ହିଁ ମୁକ୍ତିର ଦ୍ବାର ।