ବଢୁଛି ଦୂରତା
ବଢୁଛି ଦୂରତା
ଗଡୁଛି ଓଲଟା ସମୟର ଚକ
ବଦଳି ଯାଉଛି ଏବେ ମଣିଷ
ଲାଗୁନାହିଁ ନିଜ ଛାଇ ବି ନିଜର
ସମ୍ପର୍କ ସମ୍ବନ୍ଧେ ନାହିଁ ବିଶ୍ବାସ ।
ପ୍ରଦୂଷିତ ଜଳ ଗଗନ ପବନ
ନିଶ୍ବାସକୁ ପାଉନାହିଁ ଭରସା
ହଜିଯାଉ ଅଛି ହୃଦୟରୁ ପ୍ରେମ
ଭାବ ସୁମଧୁର ମମତା ଆଶା ।
ଉଜୁଡି ଯାଉଛି ବନ ସବୁଜିମା
ଘର ପରିବାର ସ୍ବପ୍ନ ସୁନ୍ଦର
ହୃଦୟ ମଧ୍ଯରେ ବଢୁଛି ଦୂରତା
ଆପଣାର ଲୋକ ହୁଅନ୍ତି ପର ।
ଯନ୍ତ୍ର କ୍ରିିତଦାସ ଆଜିର ମଣିଷ
ଭାବୁଛି ଜୀବନ ଅର୍ଥ ସର୍ବସ୍ବ
ଅର୍ଥ ପଛେ ଧାଇଁ ହେଉଛି ପାଗଳ
ଅନ୍ତଃସାର ଶୂନ୍ଯ କାଙ୍ଗାଳ ନିସ୍ବ ।
ଲାଗେ ଦୁର୍ବିସହ ଜୀଇବା ଜୀବନ
ଅର୍ଥହୀନ ହୋଇ ସଂସାରେ କେହି
କାମ ସରିଗଲେ କରି ନିରାଦର
ଦେବେ ମାଟିଘଡା ଗଡ ଗଡାଇ ।
ବାର୍ଦ୍ଧକ୍ଯ ସମୟେ ନିଜ ମାତାପିତା
କୋଣଠେସା ହୋଇ ନିଜ ନିବାସେ
ଅଥବା ରହନ୍ତି ଜରା ଆଶ୍ରମରେ
ଅସହାୟ ଭାବେ ଦୁଃଖ ନିରାଶେ ।
ବେଳ ଥାଉଁ ଥାଉଁ ନ ବାନ୍ଧିଲେ ବନ୍ଧ
ସମାଜ ସଂସ୍ଥିତି ଯିବ ବିଗିଡି
ଅଧିକ ଜଟିଳ ହେବ ଅବକ୍ଷୟ
ପାରିବାନି ସ୍ଥିତି ଆଉ ସମ୍ଭାଳି ।
-----
