ବାହାନଗାର ଦୁଃଖ
ବାହାନଗାର ଦୁଃଖ


ବାହାନଗା ମାଟି ଗୁମୁରି କାନ୍ଦୁଛି
ଦେହରେ ତା ରକ୍ତ ଛିଟା
ଶାନ୍ତ କାନ୍ତ ତାର ପରିବେଶ ଆଜି
ଦେଖେ କେତେ ହଟ ହଟା ।
ବିଭୀଷିକା ମୟ ରେଳ ଦୁର୍ଘଟଣା
ହଇ ଚଇ ସାରା ବିଶ୍ଵେ
ବାହାନଗା କାନ ପ୍ରକମ୍ପିତ ହୁଏ
ଆର୍ତ୍ତ ଚିତ୍କାର ଯେ ଭାସେ ।
ବାହାନଗା ନାମ ବିଶ୍ଵେ ପ୍ରକଟିଲା
ଦୁଃଖ ବାହାନଗା ମନେ
ଲୋମହର୍ଷଣର ଶିରୋନାମା ଆଜି
ଟଣା ହେଲା ତାର ନାମେ ।
ବାହାନଗା ମାଟି ଅଭିଶପ୍ତ ମଣେ
ତା ବୁକେ ଶବର ଗଦା
ସଧବା ମୁଣ୍ଡର ସିନ୍ଦୁର ବିଦା ଯେ
ତାକୁ ଦେଇଯାଏ ବ୍ୟଥା ।
ବାହାନଗା ଦୁଃଖ ତା ବୁକେ ହଜିଲା
ବାପାର ଆଶାର ବାଡି
ତା'ରି କୋଳରେ ଅନାଥ ଶିଶୁଟି
ଭିଡ଼ୁଛି ମାଆର ଶାଢୀ I
ବାହାନଗା ଦୁଃଖ ତା କୋଳରେ ଆଜି
ସ୍ୱପ୍ନର ଶ୍ମଶାନ ଛିଡା
ବାହାନଗାର ଏ ଶ୍ମଶା ଘାଟରେ
କେତେ କିଏ ହଟହଟା ।
ବାହାନଗା ମାଟି ଦୁଃଖେ ଅଭିଭୂତ
ଯନ୍ତ୍ରଣାର ନଦୀ ତୀରେ
ବିଭତ୍ସ ଦୃଶ୍ୟରେ କଣ୍ଠରୋଧ ହୁଏ
କ୍ରନ୍ଦନର ଭଉଁରୀରେ ।
ବାହାନଗା ମାଟି ମାନବ ସମ୍ବଳ
ଦେଖାଇଛି ମାନବତା
ହେଲେ ଏ ଘଟଣା ଭୁଲି ହୁଏ ନାହିଁ
ପିତା ଖୋଜେ ପୁତ୍ର ପତ୍ତା ।
ବାହାନଗା ବୁକେ ଅଜସ୍ର ବେଦନା
ଅନୁଭବର ପାହାଡ଼
ବେଦନା ସିକ୍ତ ସେ ପାହାଡ ଉପରେ
ଦୁଃଖ ବାଦଲ ଙ୍କ ଭିଡ଼&
nbsp;।
ବାହାନଗା ର ଯେ ଦୁଃଖ ରହିଗଲା
ବିଶ୍ଵ ଜାଣିଲା ଯେମିତି
ବିଂଶ ଶତାବ୍ଦୀର ଦୁଃଖ ଘଟଣାର
ହୋଇ ଗଲା ସିଏ ସାକ୍ଷୀ ।
ବାହାନଗା ର ଏ ଦୁର୍ଘଟଣା ହେଲା
ସାରା ବିଶ୍ଵରେ ବିଦିତ
ସହଯୋଗ ହାତ ବଢ଼ି ଆସିଲା ଯେ
କମାଇବାକୁ ଯେ ଖେଦ ।
ବାହାନଗା ଦୁଃଖ ରହିଗଲା ପୁଣି
ଅମଣିଷ ପଣିଆରେ
ପଇସା ଲୋଭରେ ଏଇଠି ମଣିଷ
ବଞ୍ଚିବା ଲୋକକୁ ମାରେ ।
ବାହାନଗା ଦୁଃଖେ ଜର୍ଜରିତ ଆଜି
ଦୃଶ୍ୟ ରାଜି ଆସି ନାଚେ
ମନରୁ କେବେ ବି ଲିଭି ପାରିବନି
ଛାପ ଛାଡ଼ି ଗଲା ସିଏ |
ବାହାନଗା ଦୁଃଖ ତା ବୁକୁରେ କିଏ
ଅକର୍ମଣ୍ୟ ହୋଇ ଗଲା
ଶୋକାକୁଳ ହୋଇ ଦଉଡି ଆସି କେ
ଖାଲି ହାତେ ଫେରିଗଲା ।
ବାହାନଗା ଦୁଃଖ କି ଅବା କହିବ
ଚିହ୍ନା ଅଚିହ୍ନାର ଭିଡ଼
ଲହୁ ଲୁହର ଏ ଦୁର୍ଘଟଣା କ୍ଷେତ୍ର
ପାଲଟିଲା କୋହ ଗଡ଼ ।
ଜୀବନ ମୃତ୍ୟୁର ମଧ୍ୟେ ବାହାନଗା
ଗୁମୁରି ଗୁମୁରି କାନ୍ଦେ
ସ୍ତବ୍ଧ ହୋଇଅଛି ବୁକୁର ସ୍ପନ୍ଦନ
ପ୍ରଭୁଙ୍କୁ ସାହସ ମାଗେ ।
ଅମର ଆତ୍ମାର ସଦ୍ଗତି ହେଉ
ଆହତେ ଆରୋଗ୍ୟ ମିଳୁ
ହରାଇଛି ଯିଏ ଆତ୍ମୀୟ କୁ ତାର
ମନୋବଳେ ପୂର୍ଣ୍ଣ ହେଉ ।
ସାହା ନ ଥାଇ ବି ରାହା ମିଳି ଯାଉ
ସାହସ ଦିଅ ଠାକୁରେ
ଜୀଇଁବା ପାଥେୟ ଧରାଇ ଦିଅ ହେ
ମୃତ୍ୟୁ କୁ ସିଏ ସ୍ଵୀକାରେ ।।