ପ୍ରକୃତିକୁ ଲୁଟି କି ଲାଭ ପାଅ
ପ୍ରକୃତିକୁ ଲୁଟି କି ଲାଭ ପାଅ
ପ୍ରକୃତି ଅଟଇ ପ୍ରଭୁଙ୍କର କିର୍ତ୍ତୀ
ଜଗତର ଅଟେ ଜୀବନଧାର
ବିଜ୍ଞାନ ବିଷାଦ ସ୍ଵରେ ଜର୍ଜରିତ
ସୁଖ ଠୁ ଅଧିକ ଦୁଃଖ ସମ୍ଭାର ।
ପ୍ରଗତି ଧାରାରେ ବିଶ୍ଵ ଉତ୍ଫୁଲ୍ଲତ
ଶାନ୍ତି ବଦଳରେ ଅଶାନ୍ତ ଝଡ
ଜୀବନୀ ଶକ୍ତି ଯେ ଆଶ୍ଵସ୍ତି ବିହୀନ
ଉପଭୋଗ ଛୋଟ ଅଶାନ୍ତି ବଡ଼ ।
ବିକାଶ ବୃକ୍ଷରେ ବିନାଶର ଫଳ
ଅବସାଦେ ସ୍ଥିତ ସାରା ପୃଥିବୀ
ପ୍ରଭୁ ଦତ୍ତ ଚିଜ ଅମୂଲ୍ୟ ଦରବ
ମନୁଷ୍ୟ ମାନସ ପାରୁନି ହେଜି ।
ଓଜନର ସ୍ତର ବିପଦେ ପଡିଛି
ଛିଦ୍ର ସୃଷ୍ଟି ହୋଇ ବିଷାଦ ବୃଷ୍ଟି
ସବୁଜ ବଳୟ ସନ୍ତାପିତ ପୁଣି
ପ୍ରକୃତି ସଭିଙ୍କୁ ପାରୁନି ତୁଷ୍ଟି ।
କାନ୍ଦେ ଗିରିବନ ସବୁଜ କାନନ
ନଦ ନଦୀ ସ୍ୱଭାବ ହରାଉଛି
ମଣିଷର କୃତି ଆଣୁଛି ଦୁଷ୍କୃତି
ବିପଦ ଆସିଲେ ମନେପଡୁଛି ।
ସର୍ଜନାରେ ନାହିଁ ତର୍ଜମାର ଛନ୍ଦ
ମାଟି ସତେ ଆଜି ବନ୍ଧ୍ୟା ହେଉଛି
ବିଷ ଭକ୍ଷଣରେ ସୃଜନୀ ବନ୍ଧିତ
ସ୍ଵଳ୍ପ ସମୟରେ ଶକ୍ତି ହାରୁଛି ।
ବିକାଶର ବିଷ ଧୂଆଁ ପ୍ରଭାବରେ
ଜୀବ ଜଗତ ଯେ ନିଃସ୍ଵ ହେଉଛି
କାର୍ଯ୍ୟ କାରଣ ଓ ନିରାକରଣକୁ
ଆତ୍ମସାତ୍ କରି ଦୁଃଖ ପାଉଛି ।
ପ୍ରକୃତିର ଦାନ ଅଣଦେଖା ପଣେ
ନିଃସ୍ବ ହୋଉ ଅସହାୟ ହେଉଛି
ପ୍ରକୃତିକୁ ଲୁଟି ଏ ମଣିଷ ଜାତି
ନିଜ ହାତେ ନିଜ ଜିହ୍ବା ଛେଦୁଛି ।
ମାଟି ହରାଇଛି ନମନୀୟ ଭାବ
ପତରେ ପତରେ କାଳିମା ଦାଗ
ପତର ଖୋଜୁଛି କାକର ମୋତିକୁ
ବୃକ୍ଷ ଖୋଜୁ ଅଛି ସନ୍ତୋଷ ଭାବ ।
ମାଟିଠୁ ଆକାଶ ନଦୀ ବନ ପ୍ରାନ୍ତ
ସାଗର ବେଳାରେ ଅଶାନ୍ତ ଢ଼େଉ
ପ୍ରକୃତି ଲୁଣ୍ଠିତ ଏ ମାନବ ହାତେ
ବିସ୍ମୃତି ଗହ୍ଵରେ ଋତୁର ଭାଉ ।
ଜୀବନ ଜୀଇଁବା ଧାରା ନିର୍ବାସିତ
ସହଜ ପଥର ସର୍ବେ ବାଟୋଇ
ପ୍ରକୃତି ପଡ଼ିଛି ଲୁଟେରା କବଳେ
ଆମେ ସାଜି ଅଛେ ଲୁଟେରା ଭାଇ ।
କଳୁଷିତ ଆଜି ଜୀବନ ଅମୃତ
ବିଷ ବଳୟ ତ ମାନବକୃତ
ପ୍ରଭୁଙ୍କର କୃତି ଅଣଦେଖା ପଣେ
ବିଶ୍ଵ ପାଇଁ ଆଣେ ଦୁଃଖ ସତତ ।
ମାଟି ଖୋଜେ ତୃପ୍ତି ସଲିଳ ବାରିଧି
ତୃପ୍ତି ତତ୍ତ୍ଵ ଖୋଜେ ଅମୃତ ଦିଶା
ମଳୟ ଆଳୟ ଶ୍ୱାସ ରୁଦ୍ଧ କରେ
କହୁଛି କି ହେବ ଭବିଷ୍ୟ ଦଶା ।
ଲୁଟେରା ଲୁଟୁଛି ପ୍ରକୃତି ମହକ
ଗ୍ରୀଷ୍ମ ପରିଭାଷା ଦହନ ଯୁକ୍ତ
ଅଦିନ ବରଷା ଋତୁ ହାରେ ଦିଶା
ଭୂତତ୍ତ୍ଵ ବିଜ୍ଞାନ ଚିନ୍ତା ଅବ୍ୟକ୍ତ ।
ପ୍ରକୃତି ପଚାରେ ବିଷର୍ଣ୍ଣ ବଦନେ
କାହିଁକି ଲୁଟୁଛ ପ୍ରଭୁ ଙ୍କ ଦାନ
କି ଲାଭ ପାଉଛ ପ୍ରକୃତିକୁ ଲୁଟି
ନିଜକୁ ନିଜେ ବି କର ହନନ ।
ଜାଗି ଉଠୁ ବିଶ୍ଵେ ଜାଗୃତିର ମନ୍ତ୍ର
ପ୍ରକୃତରେ ଆସୁ ନବ ଉନ୍ମେଷ
ନିର୍ବାପିତ ହେଉ ପ୍ରକୃତି ଜ୍ୱଳନ
ଜୀବ ଜଗତ ଟା ପାଉ ସନ୍ତୋଷ ।
