ରଙ୍ଗ (ସମ୍ପର୍କର ନଦୀ ତୀରେ)
ରଙ୍ଗ (ସମ୍ପର୍କର ନଦୀ ତୀରେ)
ସ୍ବପ୍ନରେ ଅନେକ ଦୃଶ୍ୟମାନ ହୁଏ
ସମ୍ପର୍କ ସ୍ମୃତିର ସ୍ଥିତି,
କେଜାଣି କାହିଁକି ସ୍ମୃତିର ସନେଟ୍
ପ୍ରତୀକ୍ଷାର ହୁଏ ଇତି।
ସୁଖ ଆସେ କେବେ ସାମୟିକ ଭାବେ
ଦୁଃଖ ହିଁ,ତ ଚରାଭୂଇଁ ,
ଆସ୍ଫାଳନ କେବେ କରିନାହିଁ ମୁଁ , ଯେ
ଆକାଶ ଛୁଇଁବା ପାଇଁ।
ପଚାରି ପାରିନି ସମୟକୁ କେବେ
ଅତିକ୍ରାନ୍ତ ବୟସରେ,
ଜାଣିଛି ସମୟ କାହାରି'ବି କେବେ
ରହେ ନାହିଁ ଅକ୍ତିଆରେ ।
ସ୍ବପ୍ନଭଙ୍ଗ ଦୁଃଖ ଆଙ୍କିବାକୁ ଆଜି
ତୂଳୀ ରଙ୍ଗ ମୁଁ ଖୋଜୁଛି ,
ଅଟ୍ଟହାସ୍ୟ କରେ ସାଇତା ସମ୍ପର୍କ
ସମୟ ତ, ବଦଳିଛି।
>
ସମୟ କହୁଛି ଦମ୍ଭଧର ଟିକେ
ଆଙ୍କ ଇନ୍ଦ୍ରଧନୁ ଚିତ୍ର,
ସପ୍ତରଙ୍ଗ ଲେସି ଦେଖ ଆଇନାରେ
ଲାଗିବ କେତେ ବିଚିତ୍ର।
ହୃଦୟ କହୁଛି ଅନେକ ଆଙ୍କିଛି
ସମ୍ପର୍କରେ ରଙ୍ଗ ଲେସି ,
ସବୁ ରଙ୍ଗ ଫିକା ପଡ଼ି ଯାଇଅଛି
କେବଳ ମୁଁ ହୁଏ ଦୋଷୀ ।
ତଥାପି ଆଙ୍କୁଛି ଆଙ୍କିବାକୁ ହେବ
ଭରା ଦର୍ଶକଙ୍କ ମେଳେ ,
ବିଗତ କାଲିର ଆଜିର ଭିତରେ
ରଙ୍ଗ ଲୁଚକାଳି ଖେଳେ ।
ମହାକାଳ ଫଳ ଆଭ୍ୟନ୍ତର ଦୃଶ୍ୟ
କିଛି ରୂପ କିଛି ରଙ୍ଗ ,
ତାହା ସମୟର ନକଲି ରଙ୍ଗରେ
ହୋଇଥାଏ ମୋହଭଙ୍ଗ।