STORYMIRROR

Sarojini Mishra

Abstract Inspirational

3  

Sarojini Mishra

Abstract Inspirational

କିନ୍ନର ର ଅଭିବ୍ୟକ୍ତି

କିନ୍ନର ର ଅଭିବ୍ୟକ୍ତି

1 min
289

ହଁ ମୁଁ କିନ୍ନର _

ହେଲେ ତୁମରି ରକ୍ତରେ ଗଢ଼ା 

ମୋ ଶରୀର

ତୁମରି ଚିନ୍ତା-ଚେତନାରେ

ମୋ ଅସ୍ତିତ୍ଵ ଗଢ଼ା ।


ମୋତେ ଜନ୍ମ ଦେଇ

ତୁମେ ତ ବିଭୋର

ହୋଇଥିଲ ସେଦିନ

ହେଲେ,

ମୁଁ କିନ୍ନର ଜାଣିବା ପରେ

କାହିଁକି ଉଭେଇ ଗଲା

ତୁମର ଆନନ୍ଦ

କାହିଁକି ଶଙ୍କା ଓ ସଙ୍କୋଚ

ଆବୋରି ବସିଲା ତୁମ ହୃଦୟକୁ

କାହିଁକି ତୁମର ମମତା ସ୍ରୋତରେ

ଭଟ୍ଟା ପଡିଗଲା ।


ହଁ ମୁଁ କିନ୍ନର

ଆଜି ପଚାରୁଛି ପ୍ରଶ୍ନ

ମୋର ଦୋଷ କିବା ଥିଲା

ସୃଷ୍ଟି କଲ

ଇଶ୍ଵରଙ୍କ ସୃଷ୍ଟିକୁ ଅନୁଭବ କରାଇଲ

ହେଲେ,

କାହିଁକି ବା ମୁହଁ ଫେରାଇଲ ?'

ନିଜ ହାତେ ନିଜ ଖୁସୀର ତଣ୍ଟି ଚିପି

କଷ୍ଟ ବି ପାଇଥିଲ

ହେଲେ କେଉଁ ଏକ ଅଜଣା ଭୟରେ

ଭୁଲିଗଲ ମୁଁ ତୁମ ସନ୍ତାନ ବୋଲି ।

ବୁଝିବାକୁ ଚେଷ୍ଟା ବି କଲନି

ମୁଁ ସିନା କିନ୍ନର

ହେଲେ,

ମୋ ଭିତରେ ଭରିଅଛି

ଦୁର୍ଲଭ ଜୀବନୀ ଶକ୍ତି

ମୋ ଭିତରେ ଅନୁଭବ ମାନେ ମଧ୍ୟ

ଘର କରିଛନ୍ତି 

ମୋ ଆତ୍ମ ଦହନର ଜ୍ଵାଳା ଓ ଯନ୍ତ୍ରଣା

କାହିଁକି ରେଖାପାତ କରେନି

ତୁମ ହୃଦୟରେ ?


ଦୁନିଆ ଡରରେ

ମିଛ ସମ୍ମାନର ମୋହରେ

ବିବେକ କୁ ଅଣଦେଖା କରି

କାହିଁକି ଛଡାଇ ନେଲ

ମୋର ନାଯ୍ୟ ପ୍ରାପ୍ୟ 

ଦୁନିଆ ଯେତେବେଳେ

ଛକା କହିି ଭିନ୍ନ ଆଖିରେ ଦେଖିଲା

ସେତେବେଳେ ସାହସ

ଆତ୍ମବିଶ୍ବାସ ବଦଳରେ

ମୋ ସାମ୍ନାରେ ଅସହାୟତାର

ବିଜ୍ଞାପନ କଲ

ଆଉ, ମୋ ଚାରିପଟେ ସୃଷ୍ଟିକଲ

ପ୍ରଶ୍ନବାଚୀ ର ଭିଡ଼ ।


ହେଲେ,

ଥରେ ତ ମୋ ଆଡ଼େ ଚାହଁ

ମୋ ପାଖରେ ଭରପୁର

ଅଦମ୍ୟ ସାହସ ଆଉ ଅପୁରନ୍ତ ଶକ୍ତି ।

ମୁଁ ମଧ୍ୟ ଇଶ୍ଵରଙ୍କ ସୃଷ୍ଟି

ତାଙ୍କରି ସ୍ପର୍ଶରେ

ଆତ୍ମ ଚେତନା ରଙ୍ଗାୟିତ ।


ଟିକିଏ ମମତାର ଝରଣା ରେ

ଗାଧୋଇ ଦେଇ ଦେଖ ତ

ଦେଖିବ,

ମୁଁ କେମିତି ଫୁଲଟିଏ ହୋଇ

ସୁଗନ୍ଧ ପରଶିବି

ଟିକିଏ ପ୍ରେମର ପ୍ରଲେପ ଦେଇ

ସମତ୍ୱ ର ଅନୁଭବ ଦେଇ ଦେଖ ତ

ଦେଖିବ,

ତୁମ ସ୍ବପ୍ନ/ମୋ ସ୍ଵପ୍ନ ର

ଯୁଗଳ ବନ୍ଦୀକୁ ସଫଳ କରିବାର

ଶକ୍ତି ମୋ ପାଖେ ବି ଅଛି

ଟିକିଏ ଶ୍ରଦ୍ଧାର ଆଶ୍ଳେଷରେ

ଭିଜେଇ ଦେଇ ଦେଖ ତ

ଦେଖିବ,

ମାଟିରୁ ଆକାଶ ସବୁଠି ମୋର ସ୍ଵାକ୍ଷର

ହସି ହସି କହୁଥିବ

ମୁଁ ବି ଭଗବାନଙ୍କର 

ଏକ ସୁନ୍ଦର ସୃଷ୍ଟି

ଯିଏ ଚାହିଁଲେ

ସବୁ କିଛି କରିପାରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract