ଶ୍ରାବଣ ଆଗମେ ପୁନେଇ ପର୍ବ
ଶ୍ରାବଣ ଆଗମେ ପୁନେଇ ପର୍ବ


ଶ୍ରାବଣ ଆଗମେ ହସଇ ଧରଣୀ
ହସଇ ଜୀବ ଜଗତ
ତୃଷିତ ପ୍ରାଣରେ ଜୀବନ ପଶଇ
ଜଳ ସମ୍ଭାର ଯେ ପ୍ରାପ୍ତ ।
ସବୁଜ ଶାଢୀରେ ଧରଣୀ ମଣ୍ଡିତ
ପୁଷ୍ପରାଜି ଙ୍କର ଶୋଭା
ନବ ନିରଦଙ୍କ ଆକାଶରେ ଭିଡ଼
ନାହିଁରେ ବିଦ୍ୟୁତ ଆଭା ।
ଶ୍ରାବଣ ଆଗମେ ଶୂନ୍ୟ ଗର୍ଭା ନଦୀ
ତଡିତ ଯେ ପୂର୍ଣ୍ଣଗର୍ଭା
ମେଘମାଳା ଦେଖି ମୟୂରର ନୃତ୍ୟ
ଆହା କେଡ଼େ ମନଲୋଭା ।
ଶ୍ରାବଣ ଆଗମେ ଜଡରୁ ଚେତନ
ସଭିଏଁ ଆନନ୍ଦେ ଭୋଳ
ଶ୍ରାବଣ ଆଣଇ ମଙ୍ଗଳ ବାର୍ତ୍ତା ଯେ
ଦାନ କରିଯାଏ ଜଳ ।
ଶ୍ରାବଣ ଆଗମେ ପରବ ଆରମ୍ଭ
ଆମ ସଂସ୍କୃତି ଧାରାରେ
ମହାନ ସଂସ୍କୃତି ବିଭବ ଧାରାରେ
ପୂଣ୍ୟ ଶ୍ରାବଣ ବୋଲାଏ ।
ପରବ ପୁନିଅଁ ଆମ ପରଂପରା
ଭାଇଚାରା କଥା କହେ
ଶ୍ରାବଣ ମାସର ପରବ ନିଆରା
ଧରମ ମାସରେ ଯାଏ ।
ଦକ୍ଷିଣାୟନ ର ପୁଣ୍ୟ ଚେତନାରେ
ମାସ ହୁଏ ପୁଣ୍ୟମୟ
ଶିବ ଚେତନାର ବାସନା ଛୁଟଇ
ଜଳାଭିଷେକରେ ଶିବ |
କାଉଡ଼ିଆ ଙ୍କର ସ୍ତୋତ୍ର ମନ୍ତ୍ରେ ରାସ୍ତା
ହେଉଥାଏ ଶିବମୟ
ପୁଣ୍ୟ ଚେତନାର ବିକିରଣ ହୁଏ
ଜଗତ ଆଧାତ୍ମ ମୟ ।
ସୋମବାରେ ଭିଡ଼ ମହାଦେବ ପୀଠ
ଜଳାଭିଷେକର ମନ୍ତ୍ର
ଆକାଶ ବତାସେ ମୃଦୁ ଗୁଞ୍ଜରଣ
ମନ ହୋଇଯାଏ ଶାନ୍ତ।
ଶ୍ରାବଣ ଆସଇ ଅମାବାସ୍ୟା ପୁଣି
ପ୍ରଭୁଙ୍କର ଚିତା ଲାଗି
ଚିତଉ ପିଠାର ବାସ ଚହଟଇ
ଘରେ ହୁଏ ପୂଜା ଲାଗି ।
ଗେଣ୍ଡା କୋଚିଆଙ୍କୁ ଚିତୋଉ ଦେଇ ସେ
ଚାଷ କାର୍ଯ୍ୟରେ ଯେ ବ୍ୟସ୍ତ
ଜୀବ ଦୟା କଥା ଶିଖାଏ ସଂସ୍କୃତି
ଅଦ୍ଭୁତ ଆମ ପରବ ।
ଝୁଲଣ ଆରମ୍ଭ ହୁଅଇ ମନ୍ଦିରେ
ପ୍ରଭୁ ଦୋଳାରେ ଝୁଲନ୍ତି
ଅପୂର୍ବ ସେ ଦୃଶ୍ୟ କେଡେ ମନୋହର
ରାଧା ମାଧବଙ୍କ କାନ୍ତି ।
ଜାଗ୍ରତ ଗୌରୀ ପଞ୍ଚମୀର ପୂଜା
ଶ୍ରାବଣ ଯେ ନେଇ ଆସେ
ପୁନେଇ ପରବ ସମ୍ଭାରେ ଶ୍ରାବଣ
ରୁଦ୍ଧିମନ୍ତ ହୋଇ ଥାଏ ।
ଦକ୍ଷିଣାୟନ ର ଦକ୍ଷିଣା ସଂକ୍ରାନ୍ତି
ପରବ ବାରତା ଆଣେ
କବାଟରେ ଚିତା କେଡେ ମନଲୋଭା
ଶ୍ରୀଲକ୍ଷ୍ମୀ ଫେରନ୍ତି ଘରେ ।
ଲକ୍ଷ୍ମୀ ଙ୍କ ପୂଜାକୁ ସାଙ୍ଗରେ ଆଣି ଯେ
ଶ୍ରାବଣ ଆସେ ଧରାକୁ
ଶ୍ରୀ ମୟ ହୁଅଇ ଏଇ ଜଗତ ଟା
ଆନନ୍ଦ ଦିଏ ଜୀବକୁ ।
ଶ୍ରାବଣ ପୂର୍ଣ୍ଣିମା ଅତି ଯେ ପବିତ୍ର
ବଳଦେବଙ୍କର ଜନ୍ମ
ହଳ ଲଙ୍ଗଳକୁ ପୂଜା କରି ଚାଷୀ
ଚାଷରେ ଦିଅଇ ମନ ।
ଶ୍ରୀମନ୍ଦିରେ ପୁଣି ଗେହ୍ଲେଇ ସୁଭଦ୍ରା
ଭାଇଙ୍କୁ ବାନ୍ଧଇ ରାକ୍ଷୀ
ରାକ୍ଷୀ ରୀତି ନୀତି ମନ୍ଦିରେ ହୁଅଇ
ଭାଇ ଭଉଣୀ ଙ୍କ ସାକ୍ଷୀ ।
ରାକ୍ଷୀ ପୂର୍ଣ୍ଣିମା ଯେ ଭାଇ ଭଗ୍ନୀ ପ୍ରୀତି
ବାର୍ତ୍ତାର କଥାଟି କହେ
ରାଗ ରୋଷ ଭୁଲି ଭାଇ ହାତେ ରାକ୍ଷୀ
ଭଉଣୀ ଯେ ବାନ୍ଧିଦିଏ ।
ରାକ୍ଷୀ କହିଦିଏ ସୂତା ନୁହେଁ ସିଏ
ଅତୁଟ ବନ୍ଧନ ସେତୁ
ଭାଇ ର କର୍ତ୍ତବ୍ଯ ଭଉଣୀର ସ୍ନେହ
କଥା କହି ଦିଏ ହେତୁ ।
ଶ୍ରାବଣ ଆଗମେ ହସି ଉଠେ ଧରା
ହସଇ ଗାଁ ସହର
ପର୍ବ ପର୍ବାଣୀର ସମ୍ଭାରେ ଏ ମାସ
ହୋଇ ଉଠେ ପ୍ରୀତି ମୟ ।