ନନା, ତୁମେ ଫେରି ଆସନ୍ତ ନି
ନନା, ତୁମେ ଫେରି ଆସନ୍ତ ନି
ନନା, ତୁମେ ଫେରି ଆସନ୍ତ ନି
ଦେଖିବାକୁ ତୁମ ସ୍ୱପ୍ନର ଘରକୁ
ଯେଉଁଠି ତୁମ ଶୂନ୍ୟସ୍ଥାନରେ
ସେଇମିତି ଶୂନ୍ୟ ହୋଇଅଛି ।
ଥରେ ଫେରି ଆସନ୍ତ ନି
ଦେଖିବାକୁ ତୁମ ଅବ୍ୟକ୍ତ ବକ୍ତବ୍ୟର
ସ୍ୱରଲିପି ମାନଙ୍କର ରୂପ
ଦେଖିବାକୁ ଆସନ୍ତ ନି
ତୁମ ଦତ୍ତ ନିରବ ସଂସ୍କାର ମାନେ
ବଂଚିଛନ୍ତି କି ନା !
ନନା, ତୁମେ ଥରେ ଫେରି ଆସନ୍ତ ନି
ବୋଉ ର ଯନ୍ତ୍ରଣାର ଶଯ୍ୟା ଧାରେ
ତାର ଅନାବନା ଭାବନାକୁ
ସଦ୍ଭାବନା ର ସ୍ପର୍ଶ ଦେବାକୁ
ଥରେ ଫେରି ଆସନ୍ତନି
ଗହୀର ବିଲରେ
ସୁନା ଫଳାଇବାକୁ
ଥରେ ଫେରି ଆସନ୍ତ ନି
ନଡ଼ିଆ ବାଡିର ଅରମା ଭୂମିକୁ
ଥରେ ଆସନ୍ତ ନି
ନଡ଼ିଆ ବଗିଚାର ଅବହେଳିତ
ଭୂମିରେ ନିର୍ମଳତା ଭରିଦେବାକୁ ।
ନନା, ତୁମେ ଥରେ ଫେରି ଆସନ୍ତ ନି
ମୋ ଭଙ୍ଗା ରୁଜା ମୁହୁର୍ତ୍ତ ମାନଙ୍କରେ
ପୁଣି ଯୋଡ଼ି ହୋଇ ଯିବାର
ମଶାଲଟେ ଧରି
ପୁଣି ଫେରି ଆସନ୍ତ ନି
ମୋ ନିରୋଳା ମୁହୂର୍ତ୍ତର
ବିରଳ ଆହ୍ୱାନ ଟେ ହୋଇ
ପୁଣି ଫେରି ଆସନ୍ତ ନି
ମୋ ନିରବ ମୁହୂର୍ତ୍ତ ମାନଙ୍କର
ଶବ୍ଦ ଫୁଲ ଗୁନ୍ଥି
ଉଚ୍ଚାରି ଦିଅନ୍ତ ନି
ଧୈର୍ଯ୍ୟ ଆଉ ସାହାସ ର ମନ୍ତ୍ର ।
ନାନା , ତୁମେ ଫେରି ଆସନ୍ତି ନି
ଗୁଡାଏ ଅଡୁଆ ସୂତାକୁ
ସଜାଡି ଦେବାର ଭାବେୋଚ୍ଛ୍ଵାସ ନେଇ
ଥରେ ଫେରି ଆସନ୍ତ ନି
ନିର୍ମମ ସତ୍ୟର ଇଲାକାରେ
ଜାଳିବାକୁ ଅଖଣ୍ଡ ଦିହୁଡ଼ି ।
ନନା, ତୁମେ ଫେରି ଆସନ୍ତ ନି
ନିରବ ମନ୍ତ୍ରଟେ ହୋଇ
ତୁମେ ଫେରି ଆସନ୍ତ ନି
ଆବେଗ ଝରଟେ ହୋଇ
ତୁମେ ଫେରି ଆସନ୍ତ ନି
କର୍ତ୍ତବ୍ୟ ଦିହୁଡ଼ି ହୋଇ
ତୁମେ ଫେରି ଆସନ୍ତ ନି
ବିଚ୍ଛିନ୍ନତା ଶବ୍ଦ ସ୍ୱାକ୍ଷରରେ
ଅବିଚ୍ଛିନ୍ନ ଅକ୍ଷୟ ସେତୁଟେ ହୋଇ
ତୁମେ ଫେରି ଆସନ୍ତନି
ଜ୍ଵାଳାରେ ଶୀତଳତା
ଯନ୍ତ୍ରଣାରେ ସାନ୍ତ୍ବନା
ନିରାଶାରେ ଆଶା
ଅବସନ୍ନତା ରେ ମଗ୍ନତା
ଆଉ,
ଅସମାଧିତ ଅନେକ ପ୍ରଶ୍ନର
ନିରୁତା ଉତ୍ତର ହୋଇ
ହଁ ହଁ.. ନିରୁତା ଉତ୍ତର ହୋଇ
