ପ୍ରେମର ସଉଦାଗର
ପ୍ରେମର ସଉଦାଗର
ପ୍ରେମରେ ଥାଏ ଯେ ଦାରୁଣ ଯାତନା,
ଜାଣି ନଥିଲି ମୁଁ କେବେ
ଅଚିହ୍ନା ହୋଇ ମୁଁ ବାଟ ଭୁଲିଗଲି,
ନୀରବରେ ବସି ଭାବେ ।
ସାଗର ବେଳାରେ ଛୋଟ ବାଲିଘର,
ତୋଳିଥିଲି ଯତନରେ
ଆଲିଙ୍ଗନ କଲା ନୀଳ ଢେଉ ଆସି,
ଅନ୍ଧାର ମୋ ହୃଦୟରେ ।
ଲୁହର ଦୀପାଳି ରୋଷଣୀରେ ଭିଜି,
ସ୍ମୃତିକୁ ସାଇତି ବୁଲେ
ଜୋଛନାକୁ ଜହ୍ନ ଭଲପାଏ ବୋଲି,
ଭ୍ରମିତ ମନରେ ଚାଲେ ।
ଅଜଣା ପଥରେ ଅଜଣା ବାଟୋଇ,
ଅଜାଣତେ ହେଲି ଛନ୍ଦି
ମୋତେ ସିଏ ଭଲ ପାଉ କି ନପାଉ,
ତା ପ୍ରେମରେ ହେଲି ମୁଁ ବନ୍ଦୀ ।
ପାହିଲା ରଜନୀ ସ୍ୱପ୍ନିଳ ଅବନୀ,
ଛିଟ ଫୁଲ ପାଖୁଡ଼ାରେ
ପ୍ରୀତିର କଜ୍ଵଳ ଲେସିହୋଇଗଲା,
ନୟନର ଦୁଇଧାରେ ।
ମନର କାନ୍ଥରେ ତାହାରି ନାମକୁ,
ଲେଖିଦେଲି ସରାଗରେ,
ସାତରଙ୍ଗ ଦେଇ ରଙ୍ଗେଈ ଦେଲି ମୁଁ,
ନାଲି ରଙ୍ଗ ଆଞ୍ଜୁଳାରେ ।
ଛନ୍ଦେ ଛନ୍ଦେ ତାର ପ୍ରଣୟର ଗୀତି,
ପ୍ରେମର ପିୟୁଷ ଢାଳି
ସପନ ସହରେ ଆଖି ଆକାଶରେ,
ଜହ୍ନର ଜୋଛନା ବୋଳି ।
ରାତି ଉଜାଗରେ ହୃଦ ନିକୁଞ୍ଜରେ,
ଫୁଲର ଦୋଳିରେ ବସି,
ଆନମନା ହେଲି ଭାବନାର ଛନ୍ଦେ,
ପାହିଲା ରୂପେଲି ନିଶି ।
ମୋ ଦେହ ହାଟରେ ବାଛି ବାଛି ସିଏ,
ସଉଦା କରିବା ପରେ
ଅନ୍ଧ ପୁଟୁଳି ମୋ ଆଖିରେ ବାନ୍ଧିଲା,
ବୁଲିଲା ଆଉ କା 'ପୁରେ ।
ପ୍ରୀତି ସକାଳର ପହିଲି କିରଣେ,
ପାଇଥିଲି ଯାର ଛୁଆଁ
ପଲ୍ଲବିତ ମନ ସବୁଜ ଡାଳରେ,
ହୋଇଛି ପତର ନୂଆ ।
ଗଭାରେ ମୋହର ଖୋସି ଦେଇଥିଲା,
ନାଲିଆ ଗୋଲାପଟିଏ
ମଉଳା ଗୋଲାପ ଏବେବି ମନରେ,
ମଳୟର ତାତି ଦିଏ ।
ଅଦିନରେ ମୋର ତନୁ ରଙ୍ଗହୀନ,
ଫାଙ୍କା ମୋର ମନ ଝୁଲି
ପ୍ରତାରିତା ହୋଇ କାନ୍ଦେ କଇଁ କଇଁ,
ସିଏ ଆସିବ କି ବାଟଭୁଲି ।