ମଙ୍ଗଳ ଦାୟିନୀ ବରଷା ରାଣୀ
ମଙ୍ଗଳ ଦାୟିନୀ ବରଷା ରାଣୀ
ଆସିବ ବରଷା ମନେ ଭରି ଆଶା
ଭିଜିବ ବସୁଧା ରାଣୀ,
ଟିପି ଟିପି ତାର ଅମୃତ ଧାରା
ହେବ ଜୀବନ ଦାୟିନୀ.
ବାଦଲ ଫାଙ୍କରୁ ମଙ୍ଗଳ ବରଣ
ବଜାଇ ବଜାଇ ବାଜା,
ଚପଳା ରୋଷଣୀ ଆଲୋକ ମାଳରେ
ଓହ୍ଲାଇ ସରଗ ରାଜା.
ଶୁଷ୍କ ତରୁଲତା ପଲ୍ଲବୀ ଉଠିବେ
ଶାଗୁଆ ଝୀନ ବସନ,
ପିନ୍ଧିବ ପ୍ରକୃତି ରଚି ଅଭିସାର
ମୋହିବ ସବୁରି ମନ.
ଆନନ୍ଦ ଲଭିବେ ସର୍ବ ଜୀବ ଯନ୍ତୁ
ପାଦପ ସହିତ ଲତା,
ପୂର୍ଣ୍ଣ ଗର୍ଭା ହେବେ ଜଳାଶୟ ମାନ
କୁମୁଦ କହିବ କଥା.
କ୍ଷେତେ ଚଷlପୁଅ ବୁଣିବ ଧାନ
ଖୁସିରେ ସ୍ୱାଗତ କରି,
ମଙ୍ଗଳ ଦାୟିନୀ ବରଷା ଋତୁଟି
ଆକାଶୁ ଝରିବ ପାଣି.
ଗାଁ ରାସ୍ତା ସାରା ପାଣିର ଧାରା
କାଦୁଅରେ ପଚ ପଚ,
ବାଟ ଚାଲିବାରେ ଅସୁବିଧା ହୁଏ
କେଉଁଠାରେ ଉଚ୍ଚ ନୀଚ.
ତଥାପି ବରଷା ଆସିବା ବାଟକୁ
ଅନାଇ ରୁହନ୍ତି ସର୍ବେ,
ବାଡ଼ି ବଡ଼ିବଗିଚାରେ ନାନାଜାତି ଫୁଲ
ହସଇ ତା ରୂପ ଗର୍ବେ.
ପନିପରିବାର ଅଭାବ ନଥାଏ
ସବୁରି ବାଡ଼ିରେ ଶାଗ,
ଜହ୍ନି,କାକୁଡି,ଲାଉ, କଖାରୁ
ଭେଣ୍ଡି ବାଇଗଣ ଶିମ୍ବ.
ଅଭାବ ନ ଥାଏ ସବୁଜ ଖାଦ୍ୟ
ପ୍ରକୃତି ଯୋଗାଏ ସବୁ,
ଜଳଚକ୍ର ପାଇଁ ଭୂମିରୁ ଆକାଶ
ଦୋଳିଖେଳୁ ଥାଏ ଅମ୍ବୁ.
ନବ ନୀରଦରେ ଜଳାଶାୟୀ ହେବେ
ଆଶୁତୋଷ ମହାଦେବା,
କାଉଡିଆ ଭାଈ ମନରେ ଭକତି
କରିଥାଏ ଶିବ ସେବା.
ଷଡ଼ ଋତୁ ମଧ୍ୟେ ସାର ଏହି ଋତୁ
ଜୀବନ ତା ଅନ୍ୟନାମ,
ନ ଆସିଲେ ବର୍ଷା ଧରଣୀ ପୃଷ୍ଟକୁ
ପୃଥିବୀ ଯେ ଧ୍ବଂସ ହେବ.।
