STORYMIRROR

Jayashree Das

Abstract Others

4  

Jayashree Das

Abstract Others

ବରଷା ରାତି

ବରଷା ରାତି

1 min
52


ବରଷା ଆସିଛି ମୋ ଗାଁ ଆକାଶେ 

ଜହ୍ନ ଲୁଚାଇଛି ମୁହଁ,

କଳା ବାଦଲ ଯେ ଲୁଚକାଳି ଖେଳେ 

କୁନି ତାରା ମନେ କୋହ।


ଘୋଟେଇ ଆସିଛି କଳା ହାଣ୍ଡି ମେଘ 

ପବନ ସୁଲୁସୁଲିଆ,

କୁଙ୍କୁରି କାଙ୍କୁରି ଜେଜେମା କୋଳେ 

ଗପ ଶୁଣୁଅଛି ଭଗିଆ।


ବିଜୁଳି ଆଲୁଅ ଝାଲ ସାଏ ଆଖି 

ଘଡ ଘଡି ରହି ରହି,

ଶବଦରେ କାନ ଅତଡ଼ା ପଡୁଛି 

ଝରେ ମେଘ ସାଇଁ ସାଇଁ।


ଚୁଲି ମୁଣ୍ଡେ ବୋଉ ରୋଷେଇ କରୁଛି 

ଚାଳରୁ ବହୁଛି ପାଣି,

ବରଷା ଦିନରେ ପଚ ପଚ ହୁଏ 

ଅଗଣା ଚଟାଣ ପୁଣି।


ଗାଁ ଦାଣ୍ଡ ଦେଇ ବରଷାର ପାଣି 

ବହିଯାଏ କେଉଁଆଡେ,

ବାହାରକୁ ଜମା ବାହାରି ହୁଏନା 

କାଦୁଅ ଲାଗଇ ଗୋଡ଼େ।


ନିଶବଦ ଲାଗେ ଚାରିଆଡେ ଖାଲି 

ସୁଉ ସୁଉ ଶୁଭୁଥାଏ,

ବରଷାର ସ୍ୱର ତାଳ ଲୟ ଛନ୍ଦ 

ମାଟି ବତୁରାଇ ଦିଏ।


ସାରୁ ଗଛ ମୂଳେ ବେଙ୍ଗୁଲୀ ଡାକଇ 

କେଁ କେଁ ଗୀତ ଗାଇ,

ବଣରେ ବିଲରେ ଝିଙ୍କାରୀ ଡାକଇ 

 ଝିଁଇଁ ଝିଁଇଁ ଶୁଭୁଥାଇ।


ନୁଶୁନ ଅନ୍ଧାର ମାଡି ଆସିଥାଏ 

ଦିଶେ ନାହିଁ ବାଟଘାଟ,

ବରଷା ରାତିରେ ମନ ତଳେ ହୁଏ 

ଅକୁହା ଭୟର ଜାତ।


ଡିବିରୀ ଆଲୁଅ ଲିଭି ଲିଭି ଆସେ 

ପବନ ପ୍ରକୋପ ବଢେ,

 ଗରମ ଭାତକୁ ଚୁନା ମାଛ ଝୋଳ 

ବୋଉ ଯେ ସହଳ ବାଢେ।


ପିଢାରେ ଲଟାଇଥିବା ପତରରେ 

ବରଷାର ଟୋପା ପଡି,

ଟପ ଟପ ହୋଇ ଝରି ଝରି ଆସେ 

ଓଳିତଳରୁ ନିଗିଡି।


ବରଷାର ରାତି ଅନ୍ଧାର ରାଜୁତି 

ଶୋଇବାର ମଜା ଥାଏ,

ବୁଢ଼ୀମା କୋଳେ ଘୋଡେଇ ଘାଡେଇ 

ନିଘୋଡ଼ ନିଦରେ ଶୁଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract