ଭକତ ବତ୍ସଳ ମହାବାହୁ
ଭକତ ବତ୍ସଳ ମହାବାହୁ
ଭକତ ବତ୍ସଳ ଆହେ ମହାବାହୁ
ବସିଛ ନୀଳ କନ୍ଦରେ,
ଶିରୀମନ୍ଦିରର ରତ୍ନ ସିଂହାସନେ
ଭାଈ ଭଉଣୀ ସଙ୍ଗରେ.
ଦାରୁବ୍ରହ୍ମ ତନୁ ଅନାଦି ଅନନ୍ତ
ନାହିଁ ଗୋଡ଼ ନାହିଁ ହାତ,
କଳା ବଦନରୁ ସୁଧା ଝରୁଅଛି
ନାଲିଆ ଅଧରାମୃତ.
ହାତ ସିନା ନାହିଁ କରୁଣା ବାଣ୍ଟୁଛ
ଅଭୟ ଦେଉଛ ଯାଚି,
ଥରଟେ ଦର୍ଶନ କରିଲେ ଜୀବାତ୍ମା
ପାପକୁ ଦେଉଛ ପୋଛି.
ଚୌରାଶୀ ଲକ୍ଷ ଜନ୍ମରୁ ମୁକତି
ଭକତକୁ ଦିଅ ଡାକି,
ପୁଣ୍ୟ ପୁରସ୍ତମ ମାଟିକୁ ଛୁଇଁଲେ
ମୋକ୍ଷ ପ୍ରାପ୍ତ ପ୍ରାଣ ପକ୍ଷୀ.
ଯୁଗେ ଯୁଗେ ପ୍ରଭୁ ଭକତ ବତ୍ସଳ
ଭକତ ଯେ ପିତା ମାତା,
ଭକତ ପାଇଁକି କାଞ୍ଚି ଅଭିଯାନ
ରହିଛି ଯେ ଲୋକ କଥା.
ଭକତର ଲାଗି ଅଣସର ଘରେ
ଜ୍ୱରକୁ ଶରୀରେ ନେଇ,
ପନ୍ଦର ଦିନ ଯେ ଅସହ୍ୟ ଯନ୍ତ୍ରଣା
ଭୋଗନ୍ତି ଜଗତ ସାଇଁ.
ଭକତ କଣ୍ଠରୁ ଗୀତ ଗୋବିନ୍ଦକୁ
ଶୁଣନ୍ତି ପଛରେ ବୁଲି,
ବାଇଗଣ କ୍ଷେତ କଣ୍ଟାରେ ଖଣ୍ଡୁଆ
ଚିରିଦେଲ ସବୁ ଭୁଲି.
ଦାସିଆ ହାତରୁ ଶ୍ରୀଫଳ ଘେନିଛ
ବାଲିରଥେ ବିଜେକରି,
ବଳରାମ ଦାସ ଅପମାନ ପାଇଁ
ପଣ୍ଡାଙ୍କ ଗର୍ବ ସଂହାରୀ.
ଯବନ ଭକତ ସାତଶ ପଚାଶ
କୋଶରୁ ପ୍ରାର୍ଥନା କଲା,
ବଡଶଙ୍ଖ ଠାରେ ଶୁଣିଲେ ତା ଡ଼ାକ
ନନ୍ଦିଘୋଷ ଅଟକିଲା.
ପାପୀ ଅଜାମ୍ବିଳ ଅନ୍ତିମ ଶଯ୍ୟାରେ
ପୁତ୍ର ନାରାୟଣ କହି,
ଜୀବନର ସବୁ ପାପ ଧୋଇଗଲା
ବୈକୁଣ୍ଠେ ବସିଲା ଯାଇ.
ତୁମେ ଭକତର ଭକତ ତୁମର
ଭାବରେ ବନ୍ଧା ହୋଇଛ,
ଶ୍ରୀକ୍ଷେତ୍ର ନାୟକ ନୀଳାଞ୍ଚଳ ନାଥ
ଭକ୍ତକୁ ଆକର୍ଷି ନେଉଛ.
ଚକା ଚକା ଆଖି ମୋହିନୀ ମାୟାରେ
ଭକତ ପାଗଳ ହୁଏ,
ଅଧାଗଢ଼ା ସେହି ରୂପ ରେ ଭକତ
ନିଜକୁ ଭୁଲାଇ ଦିଏ.
