STORYMIRROR

subrat kumar jena

Classics Inspirational

4  

subrat kumar jena

Classics Inspirational

ହେ ସମ୍ମୋହିନୀ ଶବ୍ଦମାନେ

ହେ ସମ୍ମୋହିନୀ ଶବ୍ଦମାନେ

1 min
408


ହେ ସମ୍ମୋହିନୀ ଶବ୍ଦ ମାନେ,

ଯିଏ ଯେମିତି ଭାବିଲା ତତେ,

ତୁ ସେମିତି ଧରାଦେଲୁ ତାକୁ,

କେବେ କେବେ ହିମାଳୟର ହିମଦହରେ,

କେବେ ପୁଣି ଟକ ମକ ଫୁଟୁଥିବା ରାଜସ୍ଥାନର ଉତପ୍ତ ମରୁଭୂମିରେ,

ପୁଣି ନାଚିଉଠୁ ମନଭରି,

ଆସାମର ଚେରାପୁଞ୍ଜିରେ ବର୍ଷାନ୍ତିର ଋତୁଟେ ହୋଇ ।


ଅନେକ ସମୟ ତତେ ଖୋଜିଲେବି,

ତୁ ଶୋଇଯାଉ କୋଉ ସୁପ୍ତ ନିଦ୍ରାରେ,

ସତେ ଅବା ଡରିଯାଇଛୁ ହିଟଲରକୁ,

ଅବା ଦୁରେଇ ପାରିନୁ ଆଖିରୁ ଆମେରିକାର ପରମାଣୁ ବୋମା ନିକ୍ଷେପକୁ,

ହେଲେ କେତେ ସହଜରେ ଆସି ଧରାଦେଉ,

ନଗଡାର ନଗ୍ନ ଚିତ୍ରରେ,

ଢ଼ିଙ୍କିଆର ଢ଼ିଙ୍କି ଶାଳାରେ,

ଯୋଉଠି ଜୀବନ ପ୍ରତିଟି ମୁହୂର୍ତ୍ତ କରେ ସଂଘର୍ଷ,

ନିଜ ପିଲା ପାଇଁ,ନିଜ ସ୍ତ୍ରୀ ପାଇଁ,ନିଜ ସ୍ୱାମୀ ପାଇଁ,ନିଜ ବାପ -ମା ପାଇଁ,

ସବୁପରେ ନିଜର ସତ୍ତାର ସନ୍ତକ ଭିଟା ମାଟି ଖଣ୍ଡକ ଲାଗି ।


ତୁ ସେଦିନ ଖୁବ କାନ୍ଦିଥିଲୁ ରାତିକୁ ସାଥି କରି,

ଜହ୍ନ କିନ୍ତୁ ହସୁଥିଲା ଖୁବ ଜୋରରେ,

ତୁ ତାକୁ ନୂଆ ଆଖ୍ୟା ଦେଲୁ ଚୋର ବୋଲି,

ଏ ପାଖେ ବିରହିନୀର ବିରହ,

ସେପାଖେ ଫୁଲେଇ ଜହ୍ନର ଛିଗୁଲାମୀ,

ଶେଷରେ ବାନ୍ଧିଦେଲୁ କଇଁର ପ୍ରେମରେ ।


କିଏ ତତେ ଦେଖେ ସକାଳର ପହିଲି ସୂର୍ଯ୍ୟରେ,

କିଏ ପୁଣି ଅସ୍ତଗାମୀ ରବୀଙ୍କ ଠାରେ,

ତୁ ହସି ହସାଉ ଶିଶୁର ଦୋରୁଟି ହସରେ,

ବିମୋହିତ ହେଉ ଗୋଧୂଳି ବେଳାରେ,

ଚାରଣ ଭୂମିରୁ ଲେଉଟା ପଶୁଙ୍କ ଟାପୁର ଧୂଳିରେ,

ପୁଣି ବୈଶାଖର ଶୁଖିଲା ପତ୍ରର ଚିତ୍କାରରେ,

ହେଲେ ସବୁ ଭୁଲିଯାଉ ବସନ୍ତର ଆଗମାନେ,

ଫୁଟି ଉଠୁ ଗୀତ ହୋଇ ସବୁ ମନ ଉପବନେ,

ତୁ ...ତୁ ତ,

ଜୀବନ ଜୀଇଁବାର ପ୍ରଥମ ପୁଲକ,

ଆଖି ଖୋଲି ଖୋଜିବାର ପ୍ରଥମ ଅନ୍ୱେଷ,

ଭଲ ପାଇବା ଋତୁର ପ୍ରଥମ ସ୍ପର୍ଶ ,

ତୁ ଶବ୍ଦ...ତୁ ଭାବ..ତୁ ତ ଶବ୍ଦରେ ସଜା "କବିତା" ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics