STORYMIRROR

subrat kumar jena

Fantasy

3  

subrat kumar jena

Fantasy

ରାଜଧାନୀରେ ଅର୍ଦ୍ଧରାତ୍ରର କବିତା

ରାଜଧାନୀରେ ଅର୍ଦ୍ଧରାତ୍ରର କବିତା

2 mins
158


ପ୍ରହର ପରେ ପ୍ରହରର ଚଳନ,

ଏମିତି ଲାଗେ ଦୂର ଆକାଶର ବୁକୁକୁ ଚାହିଁଲେ,

ଫିକ ଫିକ କରି ହସୁଛନ୍ତି ତାରା ମାନେ,

ମନେ ପଡେ ପିଲାଦିନ ମା'ର କଥା,

ହେଲେ ମା'ତ କେବେଠୁ ଗଲାଣି,

ସେଇ ଦୂର ଆକାଶର ତାରା ହୋଇ ,

ମୁଁ କିନ୍ତୁ ଆଜିବି ବନ୍ଧା ଜହ୍ନ ମାମୁଁର କାହାଣୀରେ ।


ଏବେ ଏବେ ରାଜଧାନୀକୁ ନିଦ ଆସିଲାଣି,

କେତେବା ଜାଗ୍ରତ ରହିଥାନ୍ତା,

ଦିନ ଯାକର ଘୋ ଘା କେତେ କେତେ ପ୍ରକ୍ରିୟା,

ତା ଭିତରେ ଏ ଯୋଉ ଅସହ୍ୟ ଗୁଳୁଗୁଳି,

ଦେଖୁନ ରାଜଧାନୀର ରାଜରାସ୍ତାର ଗଛ ସବୁକୁ,

କେମିତି ମୂର୍ଛି ଯାଇଛନ୍ତି ଯନ୍ତ୍ରଣାରେ,

ଖାସ ସେଥିଲାଗି,

କୁଆଖାଇରୁ ଆସୁଛି ଶୀତଳ ପବନ,

ଦୟାରୁ ବି ଆସିବା ଆରମ୍ଭ ହେଲାଣି,

ଅନ୍ତତଃ ଏଥର ଟିକେ ଶାନ୍ତିରେ ନିଶ୍ୱାସ ମାରିବ ସେ ।


କାହାର କୋଉ ଚିନ୍ତା ପେଟ ପାଟଣକୁ ନେଇ,

ସେ କିନ୍ତୁ ଭାରି ଛକ୍ ଛକ୍ ,

ଡାକୁଛି ମନେ ମନେ ଈଶ୍ୱରଙ୍କୁ ସମସ୍ତଙ୍କ ଲାଗି,

ରାଜଧାନୀ ର ରାସ୍ତାରେ ମାଳ ମାଳ ବତୀ ଖୁଣ୍ଟ,

ମନେ ମନେ ସଜେଇ ହେଉଛି ରାଜଘର ବୋଲି,

ତେଣିକି କିଏ ମାନୁ କି ନମାନୁ,

ତେଣିକି ରାସ୍ତାକଡରେ ଯେତେ ସବୁ ଫୁଟପାଥରେ ଭିଡ଼ ଜମୁ,

ଭରି ହୋଇଯାଅନ୍ତୁ ପଛେ ଯେତେ,

ଖଣ୍ଟ ,ଚୋର ,ତସ୍କର କି ଧଳା ପାଉଡର ର ବେପାରୀ,

ରାଜଧାନୀ ଶୁଏ ନା ଅନିଦ୍ରା ରୁହେ,

କହିଲେ, ରଙ୍ଗା ରଙ୍ଗ ଡାନ୍ସ ବାରରେ,

ଅଧିକାଂଶ ପଡିଆ ପାଖ ଗଛ ମୂଳେ ଗଞ୍ଜେଇର ବାସ୍ନାରେ,

ଅବା ନାକ ପଠାଉଥିବା ଦସ୍ତବିନର ଆଳିଆରେ,

କେମିତି ଶୋଉଥିବ ରାଜଧାନୀ ତୀବ୍ର ପୋଲିସ ଗାଡିର ସାଇରନରରେ ।


ଅଚାନକ ଧାଇଁଲେଣି ମେଘ ସବୁ,

ପୁରୀ ସମୁଦ୍ରରୁ ନୟାଗଡ଼ ଆଡକୁ ଜୋର ଜୋରରେ,

ହୁଏତ ଆସିପାରେ ଅଦିନିଆ ବର୍ଷା,

ଶାନ୍ତି ଦେଇପାରେ ରାଜଧାନୀର ଉତ୍ତପ୍ତ ଛାତିକୁ,

ଶାନ୍ତି କାହିଁ ଯେ ଗାଁ ଠୁ ସହର ଯାଏ,

କାଲି ପରା କମ୍ୟୁନିଷ୍ଟ ମାନଙ୍କର ହରତାଳ ଡକରା,

କେତେ କିଏ ହଇରାଣ ହେବେ,

ସେମାନଙ୍କର କଣ ଯାଏ,

ଅନ୍ୟାର ହିତ ସାଧନ ନାଁରେ ନିଜ ପେଟକୁ ଭେକ ଯୋଗାଡର ମାଧ୍ୟମ,

କାଲି ଠପ ହୋଇଯିବ ରାଜଧାନୀର ରାଜରାସ୍ତା,

ସଦା ବିକଟାଳ ଶବ୍ଦ କରୁଥିବା ଯନ୍ତ୍ର ଗୁଡା ଅଟକିଯିବେ କିଛି ସମୟ,

ହେଲେ କିଛି ପେଟ ରହିଯିବ ଭୋକିଲା ,

ଏମାନଙ୍କ ଭୋକରୁ ସେମାନଙ୍କୁ ବା କଣ ଲାଭ,

ଘଇତା ପଛେ ମରୁ କିନ୍ତୁ ସାଉତୁଣୀ ରାଣ୍ଡ ହେଉ ।


ମୋର କିନ୍ତୁ ଚିନ୍ତା ଅଲଗା ପ୍ରକାରର,

ଏ ଯୋଉ ଇଣ୍ଟର ନେଟ ରୂପକ ସ୍ଲୋ ପଏଜନ ବିଷୟରେ,

ଅନାଉ ଅନାଉ ଗଡି ଯାଉଛି ସମୟ,

ତିନି ଶହ ରୁ ଆରମ୍ବ ହୋଇ ଆଜି ଆସି ପହଂଚିଛି ନଅ ଶହରେ,

ନା ଛାଡି ହେଉଛି ନା ରହି ହେଉଛି,

ଯଦିଓ ଜାଣେ ଛାଡିଦେଲେ ସେମିତି କିଛି ପୃଥିବୀ ଓଲଟି ଯିବନି,

ତଥାପି ତା ଆଗେ ହତାଶ ମୁଁ,

ଚିନ୍ତା କାଲି ପରା ନେଟ ସରିଯିବ,

ରାତି କିନ୍ତୁ ଠିକ ସେମିତି ହସୁଛି ମୋ ପାଗଳାମୀକୁ ଦେଖି,

ତାରା ମାନେ ଖେତେଇ ହୁଅନ୍ତି ରହି ରହି,

ତଥାପି ମୋ ଆଖରେ ନିଦ ନାହିଁ,

ନୂଆ ଏକ କବିତାର ପୃଷ୍ଟ ଭୂମି ଖୋଜି ଖୋଜି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy