STORYMIRROR

Ajitkumar Muni

Abstract Romance Fantasy

4  

Ajitkumar Muni

Abstract Romance Fantasy

ସୁଷମା

ସୁଷମା

1 min
227


ତୁମେ ସିନା ଦେଖ ଭଅଁର ସାଥିରେ

ମଧୁମାଳତୀର ପ୍ରେମ

ଅବା ପଢୁଅଛ ପ୍ରୀୟର ବିରହେ

ଷୋଡ଼ଶୀ ମନର କାମ ।

ବଖାଣୁଛ କେବେ ପ୍ରଣୟର କଥା

ସାହିତ୍ୟ ସଭାରେ ବସି

ବାହାବା ନେଉଛ ଗୁଣୀ ଜ୍ଞାନି ଜନେ

ଶକୁନ୍ତଳା ପ୍ରେମ ଭାଷି । ୧।

କେବେ ନବଯୁବା ବିପ୍ରଲମ୍ଵ ଅବା

ସମ୍ଭୋଗ ଶୃଙ୍ଗାର କଥା

ରଚନାରେ ତୁମେ ଚହଲେଇ ଦିଅ

କୋମଳ ତରୁଣ ମଥା।

ତୁମ କବିତାର ସପନ ସରିଲେ

 ଦେଖେ ଯେବେ ବାସ୍ତବତା

ଅଥୟ ହୁଏ ମୁ ଲୋତକ ନିଗାଡି

ଭାଳି ବନ୍ଧୁଜନ କଥା।୨।

ମନକୁ ପଚାରେ ଗାଁ ମାଟି ଛାଡି

ସୁଷମା ଯାଇଛି କାହିଁ ?

ବର୍ଷ ପରେ ବର୍ଷ ବିତିଯାଏ ସିନା

ଫେରୁନାହିଁ କାହିଁପାଇଁ ?

ପେଟ ଭାତ ଲାଗି ଗରିବ ବାପ ତା

ଗାଁ ର ରୋହିତ ହାତେ

ଛାଡି ଦେଇଥିଲା ଚେନ୍ନାଇ ସହର

ଗାଁ ସାଙ୍ଗ ସାଥି ସାଥେ ।୩।

ସାଙ୍ଗ ସାଥି ମେଳେ ରୋହିତ ଫେରିଲା

ବାହା ସାହା ସବୁ ହେଲେ

ସୁଷମା କାହିଁକି ଏଯାଏଁ ଫେରୁନି

କେଉଁଠି ଛାଡି ଆସିଲେ ?

କିଏ କହୁଅଛି କଲୋନୀ ପାଖର 

ବରା ଦୋକାନିର ପୁଅ

ଉଠେଇ ନେଇଛି ବମ୍ବେଇ ସହର

ଦେଖି ତା ସୁନ୍ଦର ଦେହ।୪।

କିଏ କହେ ରାଗେ ଫଣ ଫଣ ହେଇ

କମ୍ପାନୀର ମେନେଜର

ଲୋଭ କରୁଥିଲା ସୁଷମାକୁ ଆମ

ରଖି ଖରାପ ନଜର।

ରୋହିତ ଏପଟେ ଦୁଃଖରେ କହୁଛି

ମାଲିକର ସାନ ପୁଅ

କଲୋନୀକୁ ଆସି ସୁଷମା ସାଥିରେ

ରାତି ଅଧେ ହୁଏ ଗେଲ।୫।

ଆଉ କିଏ କହେ ଦୁଖରେ ସୁଷମା 

ଶୋଇ ରହୁଥିଲା ସଦା

କେବେ ତାକୁ ବାନ୍ତି କେବେ ତାକୁ ଜର

ଘୁରାଉଥିଲା ତା ମଥା।

ଏହା ପରେ ଦିନେ ଶୀତ ସକାଳର

କୁହୁଡିଆ ଖରାବେଳେ

କମ୍ପାନି ମାଲିକ ଡାକ୍ତର ଖାନା କୁ 

ନିଜେ ଆସି ନେଇଗଲେ ।୬।

ସେଦିନୁ ସୁନ୍ଦରୀ ତରୁଣୀ ସୁଷମା

ଆଉ ଫେରି ଅସିନାହିଁ

କେଉଁଠି ରହିଛି ?କାସାଥେ ରହିଛି?

ଉତ୍ତର କାପାଖେ ନାହିଁ ।

ବୁଢା ବାପ ତାର ସଭିଙ୍କୁ କହୁଛି

ଗୋଡ ହାତ ଧରି ଧରି

ତଥାପି କାହିଁକି ମିଳୁନି ସୁଷମା

କେମିତି ହୋଇଛି ଚୋରି ?।୭।

ବଣ ମୂଲକର ସରଗି ଫୁଲଟି

ସହରର ପ୍ରଦୂଷଣେ

ସତେକି ଅକାଳେ ଝାଉଁଳି ଗଲାକି

ବଡ଼ଲୋକି ନିଷ୍ପେଷଣେ

ଅବା ପୁଞ୍ଜିପତି ଶୋଷଣର ଜାଲେ

ସୁଷମା ସାଜି ବନ୍ଦିନୀ

ସ୍ୱାଧୀନତା ପାଇଁ ଚିତ୍କାର କରୁଛି

ଲୁହଢାଳି ଅନାଥିନୀ ।୮।

ଲେଖଥରେ ଆମ ସୁଷମା ର କଥା

ଶକୁନ୍ତଳା ପ୍ରେମ ଛାଡି

ନୋହିଲେ ଆହୁରି କେତେ ଯେ ସୁଷମା

ଅକାଳେ ପଡ଼ିବେ ଝଡ଼ି ।୯।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract