ସେଦିନର ଗୁରୁକୁଳ ଆଜିକାର ବିଦ୍ୟାଳୟ
ସେଦିନର ଗୁରୁକୁଳ ଆଜିକାର ବିଦ୍ୟାଳୟ


ସେଦିନର ଗୁରୁକୁଳ ତୁଣ୍ଡେ ନେଇଗଲେ
ମନରେ ଜାଗଇ ପବିତ୍ର ଭାବ
ମନୋମୁଗ୍ଧକର ଦୃଶ୍ୟ ରାଜି ସବୁ
ଆଖିରେ ଆଙ୍କଇ ଭବରେ ଶିବ |
ମୁକ୍ତ ପାଠଶାଳା ଆହା କି ସୁନ୍ଦର
କି ସୁନ୍ଦର ଗୁରୁ ଶିଷ୍ୟ ସଂପର୍କ
ପରିବେଶ ପାଖେ ମୁଣ୍ଡ ନଇଁ ଯାଏ
ଅପୂର୍ବ ତାହାର ଶିକ୍ଷା ସମ୍ଭାର ।
ଜ୍ଞାନ ଗାରିମାରେ ଶ୍ରୀମଣ୍ଡିତ ଥିଲା
ଗୁରୁକୁଳ ମିଶ୍ର ଶିକ୍ଷା ର ଧାରା
ଜ୍ଞାନର ପରୀକ୍ଷା ଜୀବନ ନିରୀକ୍ଷା
ମଣିଷ ଗଢିବା ଥିଲା ନିଆରା ।
ମନ ଚେତନା ଓ ଶରୀର ପାଇଁକି
ଉତ୍କୃଷ୍ଟ ଶିକ୍ଷାର ମନ୍ଦିର ଥିଲା
ଜୀବନର ଲକ୍ଷ୍ୟ ସାଧନ କ୍ଷେତ୍ରରେ
ପଥ ପ୍ରଦର୍ଶନ ହେଉ ଯେ ଥିଲା ।
ଭାବରେ ଭାବରେ ଭାବିଲେ ସେ କଥା
ଶ୍ରୀରାମ ଚନ୍ଦ୍ରଙ୍କ ରୂପ ଯେ ଆସେ
ବଶିଷ୍ଠଙ୍କ ଶ୍ରଦ୍ଧା ଶ୍ରୀରାମ ଙ୍କ ଭକ୍ତି
ମନ ଅଗଣାରେ ଭଉଁରୀ କାଟେ ।
କୃଷ୍ଣ ବଳରାମ ସନ୍ଦୀପନି ଶିଷ୍ୟ
କି ସୁନ୍ଦର ଆହା ସମ୍ପର୍କ ସେତୁ
ଗୁରୁକୁଳାଶ୍ରମ ବିଭୂତି ମଣ୍ଡିତ
ଦେଇ ଦେଇଥାଏ ଜୀବନ ହେତୁ ।
ଜ୍ଞାନ ଆହରଣ ପୁଣି ପରୀକ୍ଷଣ
ବ୍ୟକ୍ତିତ୍ଵ ଗଠନେ ସେ ଭିତ୍ତିଭୂମି
ସଂସ୍କାର ଶିଳାର ମୂଳଦୁଆ ଥିଲା
ଯେତେ କହିଲେ ବି ହୋଇବ କମି ।
ମନ ଉପବନ ଶ୍ରଦ୍ଧା ସମ୍ମାନର
ସୁମନରେ ସଦା ସଜ୍ଜିତ ଥିଲା
ଗୁରୁ ଥିଲେ ପରା ସାକ୍ଷାତ ଦେବତା
ଶିଷ୍ୟ ପୁତ୍ର ବତ୍ ଜୀଉଁ ଯେ ଥିଲା ।
ଅନୁଶାସନର କଠୋର ମଲାଟ
ପ୍ରେମରେ ପୃଷ୍ଠା ତ ଭରି ଯେ ଥିଲା
ସ୍ନେହ ସମ୍ମାନ ଓ ସଂସ୍କାର କ୍ଷେତ୍ରଟି
ଅପରୂପ ହୋଇ ସଜ୍ଜିତ ଥିଲା ।
ହଜିଛି ସେଦିନ ନାହିଁ ବନୋଭୂମି
ଯୋଜନା ରେ ଉଚା କୋଠା ହୋଇଛି
ଶିକ୍ଷା ମନ୍ଦିରରେ ରାଜନୀତି ଚାଲେ
ଶିକ୍ଷା ମାନ ଆଜି ବଦଳି ଅଛି ।
ବିଦ୍ୟାଳୟେ ଆଜି ଗୁରୁ ର ମର୍ଯ୍ୟାଦା
ଛାତ୍ର ଙ୍କ ହାତରେ ହନନ ହୁଏ
ଛାତ୍ରଟି ଖୋଜୁଛି ଆତ୍ମୀୟତା ଯଦି
କଂକ୍ରିଟ ଘରେ ସେ ଖୋଜି ନ ପାଏ ।
ସଂସ୍କାରର କଥା ଚୁଲିକୁ ଗଲାଣି
ସାଟିଫିକେଟରେ ଜ୍ଞାନର ମାପ
ବିଦ୍ୟାଳୟ ଆଉ ମନ୍ଦିର ତ ନାହିଁ
କିଏ ପଢ଼ାଇବ ସଂସ୍କୃତି ପାଠ ।
ବିଦ୍ୟାଳୟ ଦାଣ୍ଡେ ଯୋଜନାଙ୍କ ଭିଡ଼
କାଗଜ କଲମେ ସୁନ୍ଦର ଛବି
ଜ୍ଞାନକୁ ଜୀବନେ ଲଗାଇବା କଳା
କିଏ କୁହ ଆଜି କହୁଛି ଭାବି ।
ସଂସ୍କାରର କଥା ବହୁ ଦୂରେ ପରା
ଘରେ ନାହିଁ ପରା ସଂସ୍କାର ଶିଳା
ବିଦ୍ୟାଳୟ କାନ୍ଥେ ବହୁ କିଛି ଲେଖା
କିଏ ବା ବୁଝିଛି ତାର ମେଖଳା ।
ଛାତ୍ର ପାଖେ ନାହିଁ ଗୁରୁଙ୍କ ଆଦର
ଗୁରୁ ପାଖେ କାହିଁ ସ୍ନେହ ଶରଧା
ମଣିଷ ଗଢିବା ମନ୍ତ୍ର ଶୁଭୁନାହିଁ
ଦେଖା ଯାଉ ନାହିଁ ସଂସ୍କାର କଥା ।
ଆହେ ପିତାମାତା ଗୁରୁ ଗୁରୁଜନ
ଛାତ୍ରଟିକୁ ଚାଲ ହେ ସଂସ୍କାର ଦେବା
ଆମ ସୁକର୍ମକୁ ଧର୍ମାଚରଣ କୁ
ନିଜ ବ୍ୟବହାରେ ବତାଇ ଦେବା ।
ବିଦ୍ୟାଳୟେ ଯାଇ ସଂସ୍କାରୀ ଶିଶୁଟି
ନୂଆ ପରିବେଶ ଗଢି ପାରିବ
ଆହେ ଶିକ୍ଷାଦାତା ନିଜ ଗୁଣ ଫଳେ
ଛାତ୍ରଙ୍କ ଠାରୁ ସମ୍ମାନ ଅର୍ଜିବ ।
ଗୁରୁ କୁଳ ଶିକ୍ଷା ସମ୍ଭବ ନୁହଁଇ
ବଦଳାଇ ହେବ ଯେ ମାନସିକତା
ମାନସିକତାର ଉତ୍ତମ ପ୍ରୟୋଗେ
ବିଦ୍ୟାଳୟ ଦେବ ନୂତନ ବାର୍ତ୍ତା ।