କବି ଓ କବିତା
କବି ଓ କବିତା
କବିତା କୋଣାର୍କ ତୋଳି ଦେଇପାର
ଶବ୍ଦରେ ଶବ୍ଦକୁ ଯୋଡ଼ି,
କଲମ ନିହାଣେ କେତେ ରୂପ ପୁଣି
ତୁମେ ଦେଇପାର ଗଢି ।
ନନ୍ଦନ ବନରୁ ପାରିଜାତ ଆଣି
ପ୍ରେୟସୀ ବେଣୀରେ ବାନ୍ଧ,
କାଳିରେ ସଜାଅ ପ୍ରିୟାକୁ ଏମିତି
ଲାଜ ହେଇଯାଏ ଚାନ୍ଦ ।
ପ୍ରଜାପତି ସହ ଉଡି ବୁଲ ତୁମେ
ଫୁଲରୁ ଫୁଲକୁ ନିତି,
ଇନ୍ଦ୍ରଧନୁ ରଙ୍ଗ ମାନସରେ ଭରି
ଗାଅ ପ୍ରକୃତିର ଗୀତି ।
ବିରହ ବେଦନା ପ୍ରେମିକ ଭାବନା
କବିତା ପଂକ୍ତିରେ ଆଙ୍କ,
ଗରିବର ଭୋକ ଅଭାବୀର ଦୁଃଖ
ସରଳ ଭାଷାରେ ଲେଖ ।
ସାମ୍ୟବାଦ ମନ୍ତ୍ର ଗାଇଚାଲ ତୁମେ
ଭେଦଭାବ କରି ଦୂର,
ହିନ୍ଦୁ ମୁସଲିମ ସର୍ବେ ଏକାକାର
ନାହିଁ ପର ଆପଣାର ।
ଭାଷାପ୍ରୀତି ଆଉ ଦେଶପ୍ରେମ ଭାବ
ଜଗାଅ ପାଠକ ମନେ,
ପୁରାଣ ବାରତା ଇତିହାସ ଗାଥା
କହି ଯାଅ କାନେ କାନେ ।
ଧନ୍ୟ ତୁମେ କବି କଲମ ମୁନରେ
ଆଣି ପାର ତୁମେ କ୍ରାନ୍ତି,
ପଦରେ ପଦରେ ନିଆସି ମନରେ
ଭରି ପାର ପୁଣି ଶାନ୍ତି ।।