ଝରକାର ଆରପାଖେ ତୁମେ
ଝରକାର ଆରପାଖେ ତୁମେ
ଝରକାର ଏପାଖରେ ତପ୍ତ ମରୁଭୂମି
ସେପାଖରେ ପ୍ରମୋଦ ଉଦ୍ୟାନ,
ଆଞ୍ଜୁଳା ଲୁହରେ ଭିଜା ଏପାଖ ଜୀବନ
ସେପାଖରେ ମିଠା ମିଠା ସ୍ବପ୍ନ ।
ସେପାଖରେ ଜନ୍ମ କୋଳାହଳ
ଏପାଖରେ ମୃତ୍ୟୁ ହାହାକାର,
ସେପାଖରେ ପ୍ରତିଦିନ ଆନନ୍ଦ ଉତ୍ସବ
ଏପାଖରେ ସଂଘର୍ଷ
ଜୀବନର, ଜୀବିକାର ।
ସେପାଖରେ ଗୋଲାପର ଶେଯ
ଏପାଖରେ କଣ୍ଟକିତ ପଥ,
ଚିନ୍ତା ହୀନ ବିଶ୍ରାମ ସେପାଖେ
ଏପାଖରେ କର୍ମ ଅବିଶ୍ରାନ୍ତ ।
ସେପାଖରେ ପୂର୍ଣ୍ଣ ସ୍ଵାଧୀନତା
ଏପାଖରେ ପ୍ରତି ବାକ୍ୟେ ଭୟ,
ସେପାଖରେ ଜନତା ରାଜୁତି
ଏପାଖରେ ନେତାଙ୍କର ଜୟ ।
ସେପାଖରେ ମିଛ କହି ମୁକ୍ତି
ଏପାଖରେ ସତ କହି ଦଣ୍ଡ,
ଲକ୍ଷେ ଭୁଲ କ୍ଷମା ମିଳେ ସେଠି
ଗୋଟିକରେ କଟେ ଏଠି ମୁଣ୍ଡ ।
ସେପାଖରେ ତୁମେ ଆଉ
ଏପାଖରେ ମୁଁ,
କେମିତି ମିଶିବ କୁହ ଦୁହିଁଙ୍କର ମନ,
ଝରକାର ସେପାଖରୁ ଏପାଖ ଭିତରେ
ଦୂରତା ଯେ ଯୋଜନ ଯୋଜନ ।