ଶାଳୀ ଘରେ ଅତିଥି
ଶାଳୀ ଘରେ ଅତିଥି


ଶାଳୀ ଘରେ ଥରେ
ଅତିଥି ହେବାକୁ ଭାରି ମନ,
ସରିଯାଉ ପଛେ
ଅଣ୍ଟିରେ ସଞ୍ଚିତ ଯେତେ ଧନ ।
ଥରୁଟିଏ ଗଲେ
ଖୁସି ହେବ ଭାରି ଶାଳୀ ମୋର,
ଅତି ଯତନରେ
କରିବ ଭିଣେଇ ସତକାର ।
ଖଣ୍ଡି ଗୁଆ ଦେଇ
ଭାଙ୍ଗି ଦେବ ପାନ ସରାଗରେ,
ପଚାରିବ ବସି
କୁଶଳ ବାରତା ଆଦରରେ ।
ପିଆଇବ ଆଣି
ହାତରେ ତିଆରି ଫଳରସ,
ପୁରିଯିବ ପେଟ
ଶୁଣି ତାର ଥଟ୍ଟା ପରିହାସ ।
ଅଭିମାନ କରି
ପୁଣି ପଚାରିବ ଏତେ ଦିନେ,
ପଡିଲା କି ଭାଇ
ଗରିବ ଶାଳୀର କଥା ମନେ ।
କହିବି ବୁଝାଇ
ନାହିଁ ଲୋ ଗେହ୍ଲେଇ ନାହିଁ ନାହିଁ,
ଦେଖିବାକୁ ତୋତେ
ମନ ଝୁରୁଥିଲା କେତେ କାହିଁ!
କଥାରେ ମୋହରି
ରାଗରୁଷା ସବୁ ଭୁଲି ଯିବ,
ପଲଉ ଚିକେନ
ନାନାଦି ଭୋଜନ ବାଢ଼ି ଦେବ ।
ଖାଇ ପିଇ ସାରି
ଘଡ଼ିଏ ବିଶ୍ରାମ ନେଲା ପରେ,
ବିଦାୟ ମୁହୂର୍ତ୍ତ
ହେବ ଉପଗତ ଧିରେ ଧିରେ ।
ଗାଡି ପାଖେ ଆସି
ଦୁଇ ଧାର ଲୁହ ଢାଳି ଦେବ,
ପୁଣି କେବେ ଆମ
ଦେଖା ହେବ ବୋଲି ପଚାରିବ ।
ପୋଛିଦେଇ ଲୁହ
ଗାଲ ତାର ଟିକେ ଆଉଁସିବି,
କହିବି ପାଗିଳୀ
ଯେବେ ତୁ ଚାହିଁବୁ ଆସିଯିବି ।
କଥା ଶୁଣି ମୋର
ଫିକ୍ କିନା ଶାଳୀ ହସିଦେବ,
ଅଭାଗା ଭିଣୋଇ
ନୂଆ ଭାଗ୍ୟ ନେଇ ଲେଉଟିବ ।