ଶୀତ ଓ ଜୀବନ
ଶୀତ ଓ ଜୀବନ


ତାପମାନଯନ୍ତ୍ରର ପାରଦଟି ଖସୁ ଥାଏ
ଧିରେ ଧିରେ ତଳକୁ ତଳକୁ,
ଅମାନିଆ କାଲୁଆ ପବନ
ଅଙ୍ଗେ ଅଙ୍ଗେ ପିଟି ହେଇ
ଅସ୍ତବ୍ୟସ୍ତ କରୁଥାଏ ତାକୁ ।
ପୁଙ୍ଗୁଳା ପାଦଟି ତାର
ଫାଟି ପଡ଼ି କରିଥାଏ ଆଁ,
କାଖରେ ଜୀବନ ଧରି
ମୁଣ୍ଡରେ ଜୀବିକା ବୋହି
ବୁଲେ ସିଏ ସହରରୁ ଗାଆଁ ।
ସାତସିଆଁ ଲୁଗା ପିନ୍ଧା ଦେହ
ଲୋଡ଼େ ନାହିଁ ଦାମିକା କମ୍ବଳ,
ସେଥିପାଇଁ ବୋଧ ହୁଏ
ପାଞ୍ଚ ଟଙ୍କା ଦେଶୀ ଆଳୁ
ଦଶ ଟଙ୍କା ରାଣୀ କନ୍ଦମୂଳ ।
କେହି କେବେ ପଚାରିନି ତାକୁ
ଶୀତଦିନ ଲାଗେ କି ପ୍ରକାର ?
ପଚାରିଲେ କହନ୍ତା ସେ
" ଉଷୁମ ଲାଗଇ ଭାରି
ଯେହେତୁ ଭୋକରେ ମୋର
ପ୍ରତିଦିନ ଜଳଇ ଉଦର ।"