ତୁଳସୀ ମହିମା
ତୁଳସୀ ମହିମା


ବିଷ୍ଣୁ ପ୍ରିୟାଗୋ ତୁଳସୀ ଗୁଳ୍ମ ମଧ୍ୟେ ସାର
ମୂଳରୁ ଚୂଳ ଯାହାର ସବୁତ ପବିତ୍ର।
ତୁଳସୀ ମନରେ ଭରେ ଆନନ୍ଦ ଅପାର
ମନେ ଆଣିଦିଏ ଭାବ ଭକ୍ତିର ଯୁଆର।
ସ୍କନ୍ଦ ପଦ୍ମ ଆଉ ବ୍ରହ୍ମ ବୈବର୍ତ୍ତ ପୁରାଣ
ତୁଳସୀ ମହିମା ଯହିଁ ହୋଇଛି ବର୍ଣ୍ଣନ।
ମହିମାମୟୀ ତୁଳସୀ ଜନମ କାହାଣୀ
ଧନ୍ୟ କରେ ମନ ପ୍ରାଣ ସେ ଅମୃତ ବାଣୀ।
ତୁଳସୀ ତ ପୂର୍ବ ଜନ୍ମେ ବୃନ୍ଦାବତୀ ସତୀ
ଜଳନ୍ଧର ରାକ୍ଷସ ର ଥିଲା ଧର୍ମ ପତ୍ନୀ ।
ବିଷ୍ଣୁ ଭକ୍ତ ବୃନ୍ଦାବତୀ ସତୀତ୍ୱ ବଳରେ
ଜଳନ୍ଧର ବଳିୟାନ ହୋଇଲା ମହୀ ରେ।
ପତ୍ନୀ ର ସତୀତ୍ଵ ବଳେ ଜଳନ୍ଧର ବୀର
ତିନି ପୁର ଜୟ କରି କଲା ଥରହର।
ଜଳନ୍ଧର ସ୍ବର୍ଗପୁର ଯେବେ ଜୟ କଲା
ଦେବତା ମାନଙ୍କୁ ସେତ ଦୁଃଖ କଷ୍ଟ ଦେଲା ।
ଅତିଷ୍ଠ ହୋଇ ଦେବତା ବିଷ୍ଣୁ ଙ୍କ ପାଖରେ
ଉଦ୍ଧାର ଉଦ୍ଧାର ପ୍ରଭୁ ଗୁହାରି କରିଲେ ।
ପତ୍ନୀ ର ସତୀତ୍ଵ ଯେଣୁ ରାକ୍ଷସ ର ବଳ
ସତୀତ୍ଵ ହରଣ ପାଇଁ ବିଷ୍ଣୁ କଲେ କଳ ।
ଜଳନ୍ଧର ଯୁଦ୍ଧରେ ତ ଯେବେ ବ୍ୟସ୍ତ ଥିଲା
ପତ୍ନୀ ବୃନ୍ଦା ଉଆସରେ ଏକା ରହୁଥିଲା ।
ଏମିତି ସୁଯୋଗ ଦେଖି ପ୍ରଭୁ ନାରାୟଣ
ଜଳନ୍ଧର ବେଶ ସେତ କରିଲେ ଧାରଣ।
ବୃନ୍ଦାବତୀ ପାଶେ ପ୍ରଭୁ ନିମିଷେ ଚଳିଲେ
ସତୀତ୍ଵ କୁ ତାର ପ୍ରଭୁ ନଷ୍ଟ କରିଦେଲେ।
ଅସତୀ ହେବାରୁ ବୃନ୍ଦା ତେଣେ ଜଳନ୍ଧର
ଶିବଙ୍କ ହସ୍ତରେ ଗଲା ଜୀବନ ତାହାର।
ବିଷ୍ଣୁ ଙ୍କର ମାୟା ସତୀ ଯେବେତ ବୁଝିଲା
ଅସହାୟ ହୋଇ ଅଗ୍ନି କୁଣ୍ଡେ ଝାସ ଦେଲା।
ବୃନ୍ଦା ଥିଲା ବିଷ୍ଣୁ ଭକ୍ତ ମାୟା ପ୍ରଭୁକଲେ
ଅସୁର ନିଧନ ପାଇଁ କପଟ କରିଲେ।
ଭକତ ର ଆତ୍ମହୁତି ପ୍ରଭୁ ମର୍ମାହତ
ଯୋଗମାୟା ଙ୍କର ବିଷ୍ଣୁ ହୋଇଲେ ଆଶ୍ରିତ ।
ମାଆଙ୍କ ଆଶିଷେ ବୃନ୍ଦା ଆତ୍ମାର ସଦ୍ଗତି
ଅନ୍ତରୀକ୍ଷେ ତିନିଭାଗ ହେଲା ସେହି ସତୀ।
ସରସ୍ଵତୀ ଙ୍କ ଅଂଶରେ ହେଲା ସେତ ଧାତ୍ରୀ
ଲକ୍ଷ୍ମୀ ଙ୍କ ଅଂଶରେ ସତୀ ହୋଇଲା ମାଳତୀ।
ଗଉରୀଙ୍କ ଅଂଶ ନେଇ ତୁଳସୀ ସେ ହେଲା
ପ୍ରଭୁଙ୍କ ଅଙ୍ଗରେ ସଦା ସ୍ଥାନ ସେ ପାଇଲା ।
କଳିଯୁଗରେ ତୁଳସୀ ଗୁଳ୍ମ ମଧ୍ୟେ ସାର
ସବୁ ଘରେ ଘରେ ହୁଏ ପୂଜନ ତାହାର।
ସୁଖ ଶାନ୍ତି ବଇଭବ ମଙ୍ଗଳ ସମୃଦ୍ଧି
ସୌଭାଗ୍ୟ ଆଉ ଐଶ୍ୱର୍ଯ୍ୟ ପ୍ରତୀକ ତୁଳସୀ ।
ସକାଳେ ତୁଳସୀ ଗଛେ କଲେ ଜଳ ଦାନ
ପ୍ରଫୁଲ୍ଲ ରୁହଇ ମନ ପ୍ରାଣ ସାରା ଦିନ।
ସନ୍ଧ୍ୟା ରେ ତୁଳସୀ ମୂଳେ ଦୀପଟିଏ ଜାଳି
ମନବାଞ୍ଛା ପୂର୍ଣ୍ଣ ହୁଏ କଲେ ଯାହା ଅଳି ।
ତୁଳସୀ ମୂଳରେ ଗଙ୍ଗା କରନ୍ତି ନିବାସ
ତୁଳସୀ ଶାଖାରେ ସବୁ ଦେବତାଙ୍କ ବାସ।
ବିଷ୍ଣୁଙ୍କର ଅତିପ୍ରିୟ ତୁଳସୀ ପତର
ତୁଳସୀ ବିନା ହୁଏନି ପୂଜା ଉପଚାର।
ମହାପ୍ରଭୁଙ୍କର ସେବା ପୂଜା ପାଇଁ ସଦା
ଶ୍ରୀମନ୍ଦିରେ ତୁଳସୀ ତ ଆସେ ଗଦାଗଦା।
ଧୂପ ଅବକାଶ ବେଶ ତୁଳସୀ ପତର
ପ୍ରଭୁଙ୍କ ସେବାରେ ଲାଗେ ତଳିପାରୁ ଶିର ।
ପ୍ରଭୁଙ୍କୁ ଲାଗଇ ଯେତେ ପୁଷ୍ପ ଆଭରଣ
ସବୁଥିରେ ତୁଳସୀ ତ ଖଞ୍ଜା ଥାଏ ଜାଣ।
ଟାହିଆ ଟୋପର ଗୁଣା ନାକେ ନାକୁଆସି
ମହମହ ମହକଇ ସବୁଠି ତୁଳସୀ।
ତୁଳସୀ ର ମାଳଚୂଳ ତୁଳସୀ ଭୂଷଣ
ପ୍ରଭୁଙ୍କର ଅଙ୍ଗ ଶୋଭା କିଣି ନିଏ ମନ।
ପ୍ରଭୁଙ୍କର ତୁଳସୀତ ସବୁଠାରୁ ପ୍ରିୟ
ସର୍ବାଙ୍ଗେ ତୁଳସୀ ଲାଗି ସଦା ଦୟାମୟ।
ମସ୍ତକେ ତୁଳସୀ ପୁଣି ମହାପ୍ରସାଦ ରେ
ତୁଳସୀ ଯେ ପ୍ରଭୁଙ୍କର ଭୋଗ ନୈବେଦ୍ୟ ରେ।
ପ୍ରଭୁଙ୍କ ଛଡା ତୁଳସୀ ଭକ୍ତ ଙ୍କୁ ନିର୍ମାଲ୍ୟ
କଣାଏ ପାଇଲେ ମନ ହୋଇଯାଏ ଧନ୍ୟ।
ତୁଳସୀ ର ଔଷଧୀୟ ଗୁଣ କେତେ ଅଛି
ଜାତିଜାତି ରୋଗରୁ ଯେ ମିଳଇ ମୁକତି ।
ପ୍ରତିଦିନ ତୁଳସୀ ଯେ ସେବନ କରଇ
କଫ ପୀତ ଥଣ୍ଡା ରୋଗୁ ଆରୋଗ୍ୟ ଲଭଇ ।
ଜାତି ଜାତି ଶିଶୁ ରୋଗ ଉପଶମ ପାଇଁ
ତୁଳସୀ ଯେ ମହୌଷଧି ସେଲାଗି ଅଟଇ ।
ତୁଳସୀ ର ଗୁଣ ସେତ ବର୍ଣ୍ଣି ହେବ ନାହିଁ
ଧର୍ମ ଧ୍ଯାନେ ପରିପୂର୍ଣ୍ଣ ଗୁଳ୍ମ ପରା ସେହି ।
ତୁଳସୀ ଗଛର ପୂଜା ହୁଏ ସାରା ବର୍ଷ
କାର୍ତ୍ତିକ ମାସରେ ମିଳେ ପୂଣ୍ୟ ଯେ ଅଶେଷ ।
କାର୍ତ୍ତିକ ଧରମ ମାସ ମାସ ମଧ୍ୟେ ଶ୍ରେଷ୍ଠ
ବିଷ୍ଣୁ ଙ୍କର ପ୍ରିୟ ମାସ ଜଗତରେ କ୍ଷାତ ।
ବିଷ୍ଣୁ ଙ୍କର ପ୍ରିୟ ଯେଣୁ ତୁଳସୀ ମହାନ
କାର୍ତ୍ତିକେ ତୁଳସୀ ପୂଜା ବିଶେଷ ବିଧାନ।
କାର୍ତ୍ତିକେ ତୁଳସୀ ପୂଜା ନିଷ୍ଠା ଆଚରଣ
ଅଶେଷ ପୂଣ୍ୟ ମିଳଇ ଶାସ୍ତ୍ର ରେ ବର୍ଣ୍ଣନ ।
ସତ୍ୟ ଯୁଗର ସେ କଥା ଅପୂର୍ବ କାହାଣୀ
କାର୍ତ୍ତିକ ମାହାତ୍ମ୍ୟ ଯାଏ କଥା ଟି ବଖାଣୀ।
ଦେବଦତ୍ତ ନାମେ ଥିଲେ ଧାର୍ମିକ ବ୍ରହ୍ମାଣ
ତୁଳସୀ ପୂଜା ରେ ନିତି ଦେଉଥିଲେ ମନ।
କାର୍ତ୍ତିକ ମାସରେ ସେତ ବ୍ରତ ପାଳୁଥିଲେ
ତୁଳସୀ ପୂଜା ନିଷ୍ଠାରେ ନିତି କରୁଥିଲେ।
କାର୍ତ୍ତିକ ମାସରେ ଥରେ ବ୍ରତ ଶେଷ କରି
ତୁଳସୀ ଜଳକୁ ଏକ କଳସୀରେ ଭରି,
ଅଶ୍ୱତ୍ଥ ବୃକ୍ଷେକ ମୂଳେ ଯେବେ ଢାଳି ଦେଲେ
ଆଶ୍ଚର୍ଯ୍ୟ କଥାଟି ତହିଁ ବିପ୍ର ଯେ ଦେଖିଲେ।
ସେହି ବୃକ୍ଷେ ପିଶାଚିନୀ ବାସ କରୁଥିଲା
ତୁଳସୀ ଜଳ ପଡନ୍ତେ ସେତ ମୁକ୍ତ ହେଲା ।
ସୁନ୍ଦରୀ ଯୁବତୀ ରୂପ କରି ସେ ଧାରଣ
ଦେବଦତ୍ତ ବିପ୍ରଙ୍କୁ ସେ କରିଲା ପ୍ରଣାମ।
କହିଲା ତୁମେ ମୋ ପିତା ମୁକ୍ତି ମୋତେ ଦେଲ
ପିଶାଚିନୀ ଜନମରୁ ଉଦ୍ଧାର ଯେ କଲ।
ବିପ୍ର ତହୁଁ ନିଜ ପୂଣ୍ୟ ଫଳରୁ ଅର୍ଦ୍ଧେକ
ସେ କନ୍ୟା କୁ ଖୁସିରେ ସେ ପ୍ରଦାନ କଲେତ।
ଦେବଦତ୍ତ ଙ୍କ କାର୍ତ୍ତିକ ବ୍ରତ ଫଳ ପାଇଁ
ପିଶାଚିନୀ ମୋକ୍ଷ ପ୍ରାପ୍ତି ଗଲା ସେତ ହୋଇ ।
ତତ୍କ୍ଷଣାତ ରଥ ଏକ ସ୍ଵର୍ଗରୁ ଆସିଲା
ପିଶାଚିନୀ କୁ ବୈକୁଣ୍ଠ ପୁରେ ଘେନିଗଲା।
ସେହି ବ୍ରତ ପୂଣ୍ୟ ଫଳେ ବିପ୍ର ଦେବଦତ୍ତ
ତ୍ରେତୟା ରେ ଜନମିଲେ ହୋଇ ଦଶରଥ।
ଅଯୋଧ୍ୟା ର ରାଜା ହେଲେ ପାଳିଲେ ପରଜା
ରାମାୟଣେ ଉଡେ ତାଙ୍କ ଗୁଣ ଜ୍ଞାନ ଧ୍ବଜା।
ସେ ଦିନୁ କାର୍ତ୍ତିକ ବ୍ରତ ତୁଳସୀ ଙ୍କ ପୂଜା
ଚଉଦିଗେ ଉଡ଼ିଲା ଯେ ସେ ମହିମା ଧ୍ବଜା।
କାର୍ତ୍ତିକ ମାସରେ ନିତି ପ୍ରଭାତରେ ବ୍ରତୀ
ସ୍ନାନାଦି କର୍ମ ସାରି ତୁଳସୀ ପୁଜନ୍ତି।
ହବିଷ ଖାଆନ୍ତି ପୁଣି ପ୍ରଭୁଙ୍କୁ ଭଜନ୍ତି
ତୁଳସୀ ମୂଳେ ବସି ପୁରାଣ ଶୁଣନ୍ତି।
ସନ୍ଧ୍ୟା ରେ ତୁଳସୀ ମୂଳେ ଜାଳି ଘିଅବତୀ
ବିଷ୍ଣୁଙ୍କର ଆରାଧନା ନିଷ୍ଠାରେ କରନ୍ତି।
ଜାଳନ୍ତି ଆକାଶ ଦୀପ ଧୋଇବାକୁ ପାପ
କାର୍ତ୍ତିକେ ତୁଳସୀ ପୂଜା ମିଳିଥାଏ ମୋକ୍ଷ ।
ପଞ୍ଚୁକର ପାଞ୍ଚଦିନ ତୁଳସୀ ମୂଳରେ
ରଙ୍ଗ ବେରଙ୍ଗ ମୁରୁଜ ସୁନ୍ଦର ଦିଶେରେ।
ଧରମର ଜୟଗାନ ମୁରୁଜ କରଇ
ଅପୂର୍ବ ଆନନ୍ଦ ସେତ ମନରେ ଭରଇ ।
ତୁଳସୀ ପୂଜା ରେ ମିଳେ ବିଷ୍ଣୁ ଙ୍କ ଆଶିଷ
ଜୀବନ ହୁଅଇ ଧନ୍ୟ ଆନନ୍ଦ ଅଶେଷ।
ପୁରାଣ ରୁ ଆୟୁର୍ବେଦ ଜନ୍ମରୁ ମରଣ
ସବୁଠାରେ ତୁଳସୀ ର ହୁଏ ଜୟଗାନ।
ବିଶ୍ୱପୂଜିତା ତୁଳସୀ ବୃନ୍ଦା ବୃନ୍ଦାବନୀ
ପୁଷ୍ପସାରା ବଇଷ୍ଣବୀ ହେ ବିଶ୍ବ ପାବନୀ।
ସୁଖ ଶାନ୍ତି ଗତି ମୁକ୍ତି ଆନନ୍ଦ ଦାୟିନୀ
ଜଗତ ମଙ୍ଗଳ ହେଉ ଏତିକି ଦୟିନୀ।