STORYMIRROR

Chiranjibi Sahoo

Abstract Inspirational

5  

Chiranjibi Sahoo

Abstract Inspirational

ଅନ୍ତର କାବ୍ୟ

ଅନ୍ତର କାବ୍ୟ

1 min
962

ଆଜିର ଏ ଆର୍ଦ୍ର ପରିବେଶ ଆଣେ

ବର୍ଷା ସହ କିଛି ସ୍ମୃତି

ଭିଜା ମାଟିର ଏ ବାସ୍ନା ଦେଇଯାଏ

ଅଧୁରା ସ୍ବପ୍ନର ଇତି


ପ୍ରିୟାର ଓଢଣୀ ଚାପି ମୋ ବୁକୁରେ

ମନେ ପଚାରେ ପ୍ରିୟାକୁ

ତୁମ ନୀରବତା ଦେଇଗଲା ହସ୍ତେ

କଲମେ ଶବ୍ଦ ନଈକୁ


କର୍ତ୍ତବ୍ୟର କଣ୍ଟକିତ ଏ ପଥରେ

କଳଙ୍କିନୀ ସାଜେ ପ୍ରେମ

ଶୂନ୍ୟ ନଈକୂଳେ କାଶତଣ୍ଡି ଫୁଲ

ଲାଗେ ମରୁଦ୍ୟାନ ସମ


ବାହ୍ୟ ଚାକଚକ୍ୟ ଅନ୍ତର କାନ୍ଦଇ

ନିଃସଙ୍ଗତା ମଧୁବନେ

ପାଉଁଶ ତଳର ସ୍ବପ୍ନ ଚେତିଉଠେ

ଜଗାଇ ବେଦନା ମନେ


ବ୍ୟକ୍ତ ଅଭିନୟ ଅବ୍ୟକ୍ତ ଯେ କୋହ

ଅତୃପ୍ତ ଆତ୍ମାର ଜ୍ୱାଳା

ମାନବିକତାର ନାସ୍ତିକ ନୌକାରେ

ହୃଦୟ ପାଲଟେ ଶିଳା


ମାୟା ସଂସାରର ମୈତ୍ରୀ ବଜାରରେ

କେତେ ନାଟ ଲାଗେ ନିତି

ବନ୍ଧୁକ ମୁନରେ ଜୀବନ ଦୀପାଳି

ଘୁରିଯାଏ ମୋର ମତି


ସମାଜ ସଭ୍ୟତା ଦେଶ ଜାତି ରାଷ୍ଟ୍ର

ମଳିନ ମାପକ ନେଇ

ରଚନ୍ତି ପାଳକେ କୃଷ୍ଟିର ବିଲୟ

ସ୍ୱାର୍ଥକୁ ସ୍ୱୀକୃତି ଦେଇ


ସାମ୍ରାଜ୍ୟବାଦର ବିଧ୍ଵଂସ ଅନଳେ

ଜରାଜୀର୍ଣ୍ଣ କେତେ ଜାତି

ଅଲୋଡ଼ା ଅତିଥି ଗୃହାଙ୍ଗନେ ଠାରେ

ବିଲୟ ସ୍ୱଦେଶ କ୍ରାନ୍ତି


ଗ୍ରାମେ ନଗ୍ରେ ଆଜି ମୁଣ୍ଡ ଟେକିଅଛି

ପାରିବାରିକ କଳହ

ଶାଣିତ କୁଠାରେ ଆଧୁନିକ ନାରୀ

କରେ ବୈଶିଷ୍ଟ୍ୟର ଦାହ


ପ୍ରକୃତି ପ୍ରକୋପେ ବୁଡ଼େ ନେତ୍ରାଗତେ

ପ୍ରଗତି କାଗଜ ଡଙ୍ଗା

କରୋନା ଓ ବିଚଳିତ ଜୀବନ ଯେ

କାରକ ତା ଧୃତି ଭଙ୍ଗା


ସୂଚନା ଯୁଗରେ ପ୍ରଯୁକ୍ତି ବଡାଇ

ଅନଲାଇନି ଆସର

ପ୍ରତ୍ୟକ୍ଷକୁ ତେଜି ପରୋକ୍ଷ ଆଦରି

ଅନୁକରଣର ସ୍ୱର


ବିବାହ ବିଧାନ ବିକୃତ, କି ନୂଆ!

ଭରଚୁଆଲ ବିବାହ

ଅଭିମାନି ଭକ୍ତ ଭଗବାନେ ଯାଚେ

ସୁଶ୍ରୀ ଶାସନ ନିର୍ବାହ


ରୁକ୍ଷ ନିଦାଘ ତ ଜଗତେ ପରଶେ

ଶେଷ ଫଗୁଣର ଚିଠି

ଦାଣ୍ଡେ ଦାଣ୍ଡେ ହୁଏ ପିଶାଚ ଭ୍ରମଣ

ଈଶ୍ୱରଙ୍କୁ କରି ପିଠି


ମେଦିନୀ ଭାଷଣେ ମନୁଷ୍ୟ ଜାତିକୁ

ଅସଫଳତାର ଗାଥା

ମନ୍ତ୍ରଦ୍ରଷ୍ଟାଠାରୁ ଦୂରଦ୍ରଷ୍ଟାଯାଏଁ

ଅଧୁରା କାହାଣୀ ବ୍ୟଥା


କୃଷ୍ଟିଜାତ ଆମେ ଋଷି ସନ୍ତାନ ଯେ

ପ୍ରତ୍ୟକ୍ଷ ଗ୍ରହଣ କରି

ପ୍ରବୃତ୍ତିକୁ ଦମି ସ୍ୱସ୍ତିତୀର୍ଥ ଗମି

ଫେରାଇ ଜାହ୍ନବୀ ବାରି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract