ଅଫେରା ଅତିଥି
ଅଫେରା ଅତିଥି
ଅନୁଭବ କେଜାଣି କାଇଁ ମୋ ଦରମରା ହେଇଯାଏ
କବିତାର ପଦ ଉଠାଏନା ପାଦ
କାଗଜ କଲମ ଧରି ଲେଖି ପାରେନାହିଁ
ଥକା ମାରିଯାଏ ହାତ ।
ପ୍ରେମ, ପ୍ରକୃତି, ସଙ୍ଗୀତ, ସାହିତ୍ୟ
ଅଦ୍ଭୁତ ସଂଯୋଗ ଏମାନଙ୍କର
କିନ୍ତୁ ମଲା ହୃଦୟ କି ବା ଜାଗା ଦିଏ ସେସବୁକୁ
କେବେ କେମିତି ଅଦିନା ମେଘ ଆସିଗଲେ ଆକାଶକୁ ଅନ୍ଧାରି ରଙ୍ଗରେ ସଜେଇଦେଇ ।
ପବନର ତାଳେ ତାଳେ ଗଛ, ଲତା, ପତ୍ର ସବୁ
ଦୋହଲି ଦୋହଲି ଅସ୍ଥିର ମନକୁ କେନ୍ଦ୍ରିତ କରିଦେଲେ ପବନର ଶୀତଳତା ଓ ସଙ୍ଗୀତର ଉଷ୍ମତାରେ
ଯେବେ ଲୋମ ଟାଙ୍କୁରୀ ଉଠେ ।
ସେବେ କେଜାଣି କାଇଁ କେଉଁ ବେଳର ଏକ ଅଜଣା ମାଦକତାର ପୁନରାବୃତ୍ତିରେ ଦେହ ଶିହରି ଯାଏ
କିନ୍ତୁ ଆବେଗର କମ୍ପନ ଶବ୍ଦ ହୋଇ ଝରିପଡ଼ିବା ପୂର୍ବରୁ ସବୁକିଛି ଯେପରି ମିଳେଇଯାଏ ।
ଫେରା ଫଗୁଣର ଚୋରା ଉନ୍ମାଦରେ
ଅଫେରା ଅତିଥିର ଅସ୍ବଚ୍ଛ ଚେହେରା
ଅନ୍ଧକାରରେ ଢାଙ୍କି ହୋଇଯାଏ
ପ୍ରେମରଙ୍ଗ ନିଃଶେଷିତ ପ୍ରାଣ ଖୋଜେ
ପ୍ରେୟସୀ ତରୁଣୀର ସଙ୍ଗମ ।
ପୁଣିଥରେ
ସେ ଚିତ୍ରଭରା ଦୁନିଆର ନିଦ୍ରାଶୂନ୍ୟ
ରାତ୍ରିର ପୁନରାଗମନ ପୁଣିଥରେ
ମନେ ମନେ ଅଧୀର ମନ ଭିକ୍ଷା କରେ
କରେ ତ କରେ ପୁଣି କାହାକୁ ।
ଶୂନ୍ୟରେ!
ଫେରେଇଦେ ମୋ ମିଠା ଫଗୁଣର ନାଲି ଅବିର
ମୋ ବ୍ୟଥିତ ହସ୍ତର ଶାଣିତ ଶକ୍ତି
ଦେ ଟିକେ ଭରି ମୋ ଖାଲି କାଗଜର ଧୂସର ପୃଷ୍ଠାରେ ଅଗଣିତ ଦାନା ରଙ୍ଗ ଅବିରର ।