ବର୍ଷା
ବର୍ଷା
ଶ୍ରୀହସ୍ତେ ଶୋଭିତ ମେଦିନୀ ମାତାର
ନବ ପଲ୍ଲବିତ ତୃଣ
ଅମ୍ବରୁ ଅମ୍ବୁଜ ପତନେ ସ୍ପର୍ଶେଣ
ଆର୍ଦ୍ର ମୃତ୍ତିକା ଭୁବନ ।
କୃଷ୍ଣକାୟା ଘେନି ଘୋଟିନି ବାଦର
ତଥାପି ସ୍ଥିର ବର୍ଷଣ
କ୍ଷୀଣ କ୍ଷୀଣ ହୋଇ ବରସନ୍ତି ବୃଷ୍ଟି
ସିକ୍ତ ସବୁଜିମା ତୃଣ ।
ପଲ୍ଲବ ଅଙ୍ଗରେ ଜଳ କଣିକାଏ
ଯେଣେ ଶୀତର କାକର
ଶ୍ୟାମଳ ଉପରେ ଧବଳ ପରସ୍ତ
ଏକତ୍ରିତେ ହୁଏ ଧାର ।
ଆମ୍ର ସୁଧାଭାଣ୍ଡ ନିମ ନାରିକେଳ
ଅମୃତଭଣ୍ଡା ଅମୃତ
କୃଷ୍ଣଚୂଡ଼ା ଆଦି ପାଦପ ରାଜିଏଁ
ଝୁଲନ୍ତି ଗୃହ ନିକଟ ।
ସୁଶୀତଳ ବାଆ ବହିଯାଏ ପୁଣି
ଦେହେ ଶିହରଣ ଭରି
ମନ ମୋ ମନନେ ନୃତ୍ୟ କରେ ପୁଣି
ଓଷ୍ଠୁ ହସ ଯାଏ ଝରି ।
ବିସ୍ଫାରିତ ନେତ୍ରେ ଦୃଷ୍ଟି ନିକ୍ଷେପିଣ
ଚତୁର୍ଦ୍ଦିଗ ଶୋଭାମୟ
ପ୍ରସାରିତ ହୃଦ ସଙ୍ଗୀତ ଗାଅଇ
କରି ସଂକୀର୍ଣ୍ଣତା ଜୟ ।
ଘାସର ଗାଲିଚା ତରୁ ପତ୍ରରାଶି
କାଷ୍ଠ ଶାଖା କୋରଡାଦି
ସିମେଣ୍ଟ ରାସ୍ତା ଓ ମୃତ୍ତିକା ପଥ ବି
ଆଳୟ କାନ୍ଥ ଇତ୍ୟାଦି ।
ଆକାଶ ପ୍ରେମାଶ୍ରୁ ପରଶେ ହରସି
ସ୍ୱବରନ ଘନୀଭୂତ
ମଳିନ ଲେପ ଯେ ଧୌତେ ସ୍ୱଚ୍ଛ ହୋଇ
ସୌନ୍ଦର୍ଯ୍ୟେ ଧରା ପ୍ଲାବିତ ।
କବିପ୍ରାଣ ଜାଗେ ଦୀର୍ଘତନ୍ଦ୍ରା ତେଜି
କରରୋଳ ଆସ୍ଵାଦନେ
କବି କଳେବର କଲମେ ପରଶେ
ପ୍ରକୃତି ପଦ୍ୟ ଉଦ୍ୟାନେ ।