ସେ ଥିଲା ମୋ ପ୍ରେମିକା
ସେ ଥିଲା ମୋ ପ୍ରେମିକା
ସେଦିନ ବୁଝିନଥିଲି ପ୍ରେମର ସଂଜ୍ଞା କ'ଣ
ସେଦିନ ଜାଣିନଥିଲି ହୃଦୟର ଭାଷା କ'ଣ
ଯେଉଁଦିନ ତା' ସୌନ୍ଦର୍ଯ୍ୟର ମହକରେ
ପାଗଳ ଭ୍ରମର ସାଜି ଧାଇଁଥିଲି ତା' ପଛରେ
ଆଉ ସେ ଥିଲା ଅବିରାମ ଗତିରେ
ସମୟ ପରି ମାଡ଼ିଚାଲିଥିଲା ଆଗକୁ, ଆଗକୁ
ତା'ର ତରଙ୍ଗାୟିତ କେଶରାଶି
ସୃଷ୍ଟି କରିଥିଲା ମୋ ହୃଦୟରେ
ଅସଂଖ୍ୟ ତରଙ୍ଗ
ମନ ତରଣୀ ମୋ' ଭାସି ଯାଉଥିଲା
ସେ ତରଙ୍ଗ ମଧ୍ୟରେ
କୁଳ କିନାରା ନପାଇ
ତା' ଚାହାଣୀର ମାଦକତା
ଭରି ଦେଇଥିଲା ମୋ ଆଖିରେ
ଅଦମ୍ୟ ପିପାସା
ତା' ଓଠର ନୀରବତା
ଭରି ଦେଇଥିଲା ମୋ ମନରେ
ପ୍ରେମର ମହୁଲି ନିଶା।
ଅମାନିଆ ତାର ଚୁର୍ଣ୍ଣକୁନ୍ତଳରେ
ଦେଖୁଥିଲିଓର ଅମାନିଆ ମନ
ସୁଗଭୀର ତାର ନୀଳ ଆଖି ତୀରେ
ପାଇଥିଲି ମୋର ଯୌବନର ଚିହ୍ନ
ମଧୁଝରା ତାର ଦୁଇ ଓଠ ଧାରେ
ବୁଣିଥିଲି କେତେ ସପନର ବୀଜ
ତା'ରି ପାଇଁ ମୋ ମନ ଉପବନ
ନିତି ଦିଶୁଥିଲା ସୁନ୍ଦର ସବୁଜ
ମୁଁ ଥିଲି ପାଗଳ ପ୍ରେମୀ ସେ ଥିଲା ମୋ ପ୍ରେମିକା
ମୋ ଜୀବନ ନାଟକରେ ସିଏ ଥିଲ ନାୟିକା
ତା' ପାଇଁ ମୁଁ ଗଢିଥିଲି ମହାଶୂନ୍ୟେ ମହଲ
ପିଇଥାନ୍ତି ତା ପାଇଁ ମୁଁ ଦୁନିଆର ଗରଳ
ସହିଥାନ୍ତି ସଂସାରର ଯେତେଯେତେ କଷଣ
ରଖିଥାନ୍ତି ପ୍ରେମକୁ ମୋ ଚିରଦିନ ଅକ୍ଷୁର୍ଣ୍ଣ
ମନ ତାର ମାନିଲାନି ମୋ ସାଥିରେ ଚାଲି
ବାଟଭାଙ୍ଗି ଚାଲିଗଲା ଅନ୍ୟ ହାତ ଧରି
ସପନ ମୋ ଜାଳିଦେଲା ଯୌବନ ନିଆଁରେ
ମନଟା ମୋ ଫିଙ୍ଗିଦେଲା ଅଶାନ୍ତ ସାଗରେ
ଜାଳିଦେଲା ମୋ ଅନ୍ତରେ ଯାତନାର ବହ୍ନି
ନାରୀ ଅବା ମାୟାବିନୀ ପାରିଲିନି ଚିହ୍ନି
ସେଇଦିନ ବୁଝିଲି ମୁଁ ପ୍ରେମର ପରିଭାଷା
ସେଇଦିନ ଶୁଣିଲି ମୁଁ ମୋ' ହୃଦୟର ଭାଷା

