ପ୍ରତିକ୍ଷାରେ ମୁଁ
ପ୍ରତିକ୍ଷାରେ ମୁଁ
1 min
150
ମୋ ମନର ଅଗଣାରେ କଳିକାଟେ ଫୁଟିଛି
ଫୁଟିବାକୁ ଫୁଲ ହୋଇ ଅପେକ୍ଷାରେ ରହିଛି
ସାରା ଜଗତରେ ବିତରିବ ତା'ର ମହକ
ସବୁରି ମନରେ ସିଏ ଭରିଦେବ ପୁଲକ ।
ମୋ ଆଖିର ଝରକାରେ ପରୀଟିଏ ବସିଛି
ମୋ ସ୍ୱପ୍ନର କୋଠରୀକୁ ଧୀରେ ଧୀରେ ପଶୁଛି
ମୋ ମନର ରାଇଜରେ କରିବ ବିଚରଣ
ମୋ'ର ସବୁ ସପନକୁ କରିବ ସେ ପୂରଣ ।
ମୋ ଆଶାର ଆକାଶରେ ତାରାଟିଏ ଉଇଁଛି
ଆକାଶର କୋଳ ଭରି ଓଠ ଖୋଲି ହସୁଛି
ସୁକ୍ଷ୍ମ ତା'ର ଶରୀରରୁ ଝରାଇବ ଆଲୋକ
ନିରାଶାର ଅନ୍ଧାରରେ ସେ ଯେ ଟିକି ପ୍ରଦୀପ ।
ମୋ ହୃଦୟ ଆଇନାରେ କାହା ମୁହଁ ଦିଶୁଛି
କୁନି କୁନି ଆଖିରେ ତା' ମତେ ସିଏ ଦେଖୁଛି
ଓଠୁଁ ତା'ର ଝରିଯାଏ ପିୟୁଷର ଶ୍ରାବଣ
ଦେହେ ମୋ'ର ଖେଳିଯାଏ ଅପୂର୍ବ ଶିହରଣ ।
