ଆଶା
ଆଶା
କିଏ କହେ ତୁମେ ସକାଳ ସୁରୁଜ ବୁଣିବ ନାଲି କିରଣ
କିଏ କହେ ତୁମେ ଭଗ୍ନ ହୃଦୟରେ ସଂଚାର କର ପ୍ରାଣ ।
କିଏ କହେ ତୁମେ ଦୁଃଖୀ ହୃଦୟର ସବୁ ଦୁଃଖର କାରଣ
କିଏ କହେ ତୁମେ ଭରିଦିଅ ମାନେ ଜାତିଜାତିକା ସପନ ।
କାହା ପାଇଁ ତୁମେ ମନ ଆକାଶର ଶୀତଳ ରୁପେଲୀ ଜହ୍ନ
ଅଉ କାହା ପାଶେ ସାଜିଥାଅ ତୁମେ ସକାଳ ମଉଳା ଜହ୍ନ ।
କାହା ପାଇଁ ତୁମେ ଆଣିଦେଇ ଥାଅ ନାନା ଜାତି ଉପହାର
ଭରିଦିଅ ତାର ମନ ଉପବନେ ହସଖୁସିର ସମ୍ଭାର ।
କାହାରି ମନରେ ଦେଇଥାଅ ତୁମେ ରାଗ, ଦୁଃଖ, ଅଭିମାନ
ଦୁଃଖ, ଶୋକ, ଯନ୍ତ୍ରଣାର ମଧ୍ୟେ ହୁଏ ଦୁର୍ବିସହ ତା' ଜୀଵନ ।
'ଆଶା' ନାମ ବହି ଜାଗିଉଠ ତୁମେ କା' ପାଇଁ ଆଲୋକ ନେଇ
ଆଣିଦିଅ ତା' ଜୀବନେ ସଫଳତା ପ୍ରେରଣାର ଉତ୍ସ ହୋଇ ।
କାହାର ଜୀବନେ ଆସିଥାଅ ତୁମେ ସାଜି ରୂପସୀ ଉର୍ବଶୀ
ଭଙ୍ଗ କରି ତାର ନିଷ୍ଠା ଓ ସାଧନା ଶକତି ନିଅ ତା' ଶୋଷି ।
କାହାଠାରୁ ତୁମେ ପାଇଥାଅ ଆଖ୍ୟା 'ବିଷକୁମ୍ଭମ୍ ପୟୋମୁଖମ୍'
କାହାପାଇଁ ସାଜି ଅମୃତର ଧାରା ଭରିଦିଅ ମନେ ସୁଖ ।
ସମୟ ସ୍ରୋତରେ ଜାଗିଉଠି ତୁମେ ସାଜି ଅଗ୍ରଗତି ପଥ
ମାନବ ଜାତିକୁ କର ଅଗ୍ରସର ଟାଣି ଉନ୍ନତିର ରଥ ।
ତୁମ ସ୍ଥିତି ବିନା ଅସମ୍ଭବ ହେବ ନୂଆ ନୂଆ ଉଦ୍ଭାବନ
ତୁମ ବିନା ସୃଷ୍ଟି ହେବ ଅସମ୍ଭବ ବୃଥା ହେବ ଏ ଜୀବନ ।
