ଆଶା-ଗୋଲାପ
ଆଶା-ଗୋଲାପ


ନିକୁଞ୍ଜ କାନନ ହୃଦ ବୃନ୍ଦାବନ
ପ୍ରେମ ସୁବାସିତ ପୁଷ୍ପ
ମାନସୀ ଶ୍ରୀରାଧା ହୁଅଇ ବାତୁଳୀ
ଚହଟେ ଆଶା ଗୋଲାପ ।
କରଇ ଉଚ୍ଚାଟ ମୂରଲୀର ସ୍ୱନ
ପଞ୍ଚମେ ଗାଏ କୋକିଳ
ବହେ ମୃଦୁମନ୍ଦ ମଳୟ ସମୀର
ଉଛୁଳେ ଯମୁନା ନୀଳ ।
ତୁମେ ପ୍ରାଣଧନ କଦମ୍ବ ସୁମନ
କେଶବ ମଧୁସୂଦନ
ଆସ କେଳିକୁଞ୍ଜେ ନ କରି ବିଳମ୍ବ
ହୁଅଇ ମନ ଉଚ୍ଛନ୍ନ ।
ବୃନ୍ଦାବନ ଚନ୍ଦ୍ର ଲୀଳାମୟ କୃଷ୍ଣ
ବିରାଜ ସତ୍ୟ ସୁନ୍ଦର
ସବୁଜ ସ୍ୱପନେ ତଲ୍ଲୀନ ମଗନ
ରାସେ କର ଅଭିସାର ।
ଜୀବନେ ସଞ୍ଚରୁ ଅମୃତ ନିର୍ଯ୍ୟାସ
ମଧୁମୟ ପ୍ରୀତିପ୍ରେମ
ସୁମଧୁର ତୁମ ରୂପ ସନ୍ଦର୍ଶନେ
ଆଶା ହେଉ ପୂର୍ଣ୍ଣକାମ ।