ଶାମୁକା ରାଣୀ—୨
ଶାମୁକା ରାଣୀ—୨


ସ୍ଵାତୀ ନକ୍ଷତ୍ରରେ ବରଷା ହୋଇଲେ
ପଡ଼ିଲେ ସେ ଯାଇ ଶାମୁକା ଗର୍ଭେ ,
ସେହି ଜଳ ବିନ୍ଦୁ ମୋତି ପାଲଟଇ
ଜାଣନ୍ତି ଏ କଥା ନିଶ୍ଚିତ ସର୍ବେ ।
ସବୁ ଶାମୁକାରେ ମୋତି ହୁଏନାହିଁ
ଅଳ୍ପ ସଂଖ୍ୟକରେ ସୀମିତ ଥାଏ ,
ତଥାପି ଶାମୁକା ମୂଲ୍ୟବାନ ଅତି
ବହୁ କାର୍ଯ୍ୟ ମଧ୍ୟରେ ଲୋଡ଼ା ହୁଏ ।
ଆଭୂଷଣ ରୂପେ ବ୍ୟବହାର ହୁଏ
ଶାମୁକା ଗର୍ଭର ଅମୂଲ୍ୟ ମୋତି ,
ଶାମୁକାକୁ ଲୋକେ ଭିନ୍ନ ଭିନ୍ନ ରୂପେ
ଗୃହରେ ସଜେଇ ରଖନ୍ତି ସ୍ମୃତି ।
ଦୁଆର ସଜ୍ଜାଠୁଁ ଝୁମର ପର୍ଯ୍ୟନ୍ତ
ଭିନ୍ନ ଭିନ୍ନ ରୂପେ ସେ ଶୋଭାପାଏ ,
ଶାମୁକା ଶରୀରେ ଗଢ଼େ କାରିଗର
କି ସୁନ୍ଦର ଆହା ସେ ଦେଖାଯାଏ ।
ମଲା ଶାମୁକାର ଖୋଳପାଟି ମଧ୍ୟ
ଜନହିତ କାର୍ଯ୍ୟରେ ଲାଗିଥାଏ ,
ଖାଇବା ପାନର ଚୂନ ରୂପେ ତାକୁ
ବ୍ୟବହାର ଆଜିବି କରାଯାଏ ।
ଶରୀର ମଧ୍ୟକୁ ସେହି ଚୂନରୁହିଁ
କ୍ୟାଲସିୟମ ରୂପେ କିଛିଟା ଯାଏ ,
ହାଡ଼ ଶକ୍ତ ହେବା ଦିଗରେ ଆମର
ଔଷଧୀୟ ଗୁଣେ ଆଦର ପାଏ ।
ପୁରୁଣା ଯୁଗରେ ଶାମୁକାର ଧାରେ
ଶିଶୁ ଜନ୍ମେ ନାଭି କାଟେ ଧାଈମା ,
ବିଲୁପ୍ତ ହୋଇଲା ସେହି ପ୍ରଥା ଏବେ
ଖାଲି ସ୍ମୃତି ଆଜି ଦେଖେ ଜେଜେମା ।
କଅଁଳା ଶିଶ
ୁଙ୍କୁ ଶାମୁକାରେ ଭରି
କ୍ଷୀର ପିଆ ଯାଉଥିଲା ସେବେଳେ ,
ସମୟର କ୍ରମେ ସେହି ସ୍ଥାନ ନେଲା
ଷ୍ଟିଲ୍ ଚାମଚର ରୂପ ଏବେଳେ।
ଜେଜେମା କହଇ ଶାମୁକାରେ କ୍ଷୀର
ଛୋଟ ବେଳରୁ ପିଲାଙ୍କୁ ପେଇଲେ ,
ସ୍ମୃତି ଶକ୍ତି ବଢ଼ି ରୋଗ ମୁକ୍ତ ହୁଏ
ସେ ପିଲା ଦିନେ ବଡ଼ ହୋଇଲେ ।
ମାଟି ହାଣ୍ଡି ସିଜା କ୍ଷୀର କୋରୁଅକୁ
ଫାଳ ଶାମୁକାରେ ଦିଅନ୍ତି କୋରି ,
ଖୁସିରେ ଖୁଆନ୍ତି ପିଲାଙ୍କ ମୁଖରେ
ମାଆ ମାନେ ତାକୁ ଆଦର କରି ।
ଶାମୁକା ପିଠିରେ କଣା ଟିଏ କରି
ଛେଲାଯାଏ କଞ୍ଚା ଆମ୍ବ ସବୁକୁ ,
ତା'ର ସମ ସରି ନ ହୁଏ କୋରଣି
ଖୋଜାଲୋଡ଼ା ହୁଏ କାର୍ଯ୍ୟ ବେଳକୁ ।
ମୋତି ଥାଉ ଅବା ନଥାଉ ଦେହରେ
ହେଉ ଗରିବକି ଅବା ସେ ଧନୀ ,
ଅତୀତରୁ ନେଇ ଭବିଷ୍ୟତ ଯାଏ
କେବେହେଁ ଆଦରତା କମିବନି ।
ଶାମୁକା ଏପରି ଅମୂଲ୍ୟ ଜୀବଟେ
ଜନମ ସାଗର ବାଲୁକା ଗର୍ଭେ ,
ଗରିବଙ୍କ ପାଇଁ ରୂପାର ଚାମଚ
ଧନୀ ପିନ୍ଧେ ମୋତି ଗଳାରେ ଗର୍ବେ ।
ନିବେଦନ କରେ ଜନ ସମାଜକୁ
ସେ'ତ ସବୁଦିନେ ଜନ୍ମ ଦୁଃଖିନୀ ,
ଆୟୁଷ ପୂରିବା ପୂର୍ବରୁ ତାହାକୁ
କେବେହେଲେ ହତ୍ୟା କେହି କରନି ।