ପ୍ରଣାମର ମାହାତ୍ମ୍ୟ
ପ୍ରଣାମର ମାହାତ୍ମ୍ୟ
କୁରୁକ୍ଷେତ୍ର ମଧ୍ୟେ ଥାଇ ଧର୍ମଯୁଦ୍ଧେ
ଦୁର୍ଯ୍ୟୋଧନ କଟୁ ବାଣୀ
ଶୁଣି ଗଙ୍ଗାପୁତ୍ର ବିସ୍ତାରିଲେ ନେତ୍ର
ମରମେ ଆହତ ଜାଣି ।
ନ କରି ବିଳମ୍ବ ହୃଦେ ବହି ଦମ୍ଭ
ଶପଥେ ଆଚରି ବ୍ରତ
କହିଲେ ତକ୍ଷଣେ କାଲି ଏହି ରଣେ
ପାଣ୍ଡବେ ହୋଇବେ ହତ ।
ହେବେ ବୋଲି ବଧ ଶୁଣନ୍ତେ ସମ୍ବାଦ
ଶିବିରେ ଭାଳେଣି ପଡେ
ଭୀଷ୍ମ ପିତାମହ ସଙ୍ଗେ କିବା ଦ୍ରୋହ
ମରଣ ପ୍ରମାଦ ବଢେ ।
ଏମନ୍ତ ସମୟେ କୃଷ୍ଣ ଅନୁନୟେ
କହିଲେ ଶୁଣ ହେ କୃଷ୍ଣା
ଭଗିନୀ ମୋ ସାଥେ ଆସ ଏହି ପଥେ
ନିବାର ବିକଟ ତୃଷ୍ଣା ।
ଶୁଣି ତାଙ୍କ କଥା ନତ କରି ମଥା
ଚଳିଗଲେ ଅନୁସରି
ଧନଞ୍ଜୟ ସଖା କୃଷ୍ଣ ଥିଲେ ରକ୍ଷା
ଏହିକଥା ଚିତ୍ତେ ସ୍ମରି ।
ଭୀଷ୍ମଙ୍କ ଶିବିରେ ପହଞ୍ଚି ଗମ୍ଭୀରେ
କେଶବ କହନ୍ତି ଧୀରେ
ପ୍ରବେଶି ଲୟରେ ଗାଙ୍ଗେୟ ପୟରେ
ପ୍ରଣାମ କର ଅଚିରେ ।
ନିଶୀଥେ ଦ୍ରୌପଦୀ ପାଦେ ପାଣି ଛନ୍ଦି
ପଡନ୍ତେ ବିନୟେ ଅତି
ଦେଇ ଶୁଭାଶିଷ ଉଚ୍ଚାରିଲେ ଭାଷ
ଅଖଣ୍ଡ ସୌଭାଗ୍ୟବତୀ ।
ମନେ ମୋ ସଂଶୟ କୁହ କି ବିଷୟ
ଆସିଛ ପୌତ୍ରୀ କା' ସାଥେ
କୃଷ୍ଣ ବିନୁ ସତେ କେ ଅଛି ଜଗତେ
ଖଣ୍ଡିବାକୁ ପଣ ରାତେ ।
ତଦନ୍ତେ କେଶବ ମିଳନ୍ତେ ଭାର୍ଗବ
ପ୍ରଣମିଲେ ପାଶେ ଧାଇଁ
ଶରଶଯ୍ୟା ବେଳେ ଦେଖି ଅନ୍ତକାଳେ
ବୈକୁଣ୍ଠେ ବସିଲେ ଯାଇ ।
ଭୀଷ୍ମ ପାଦ ତଳେ ପ୍ରଣାମର ବଳେ
କୌନ୍ତେୟଙ୍କ ମୃତ୍ୟୁଭୟ
ହେଲା ବୋଲି ଦୂର ଅନ୍ତେ ସେହି ଶୂର
ସଂଘର୍ଷେ ଲଭିଲେ ଜୟ ।
ପ୍ରସନ୍ନ କୁମାର ମାଦଳା