ମଉଳା ଗୋଲାପ
ମଉଳା ଗୋଲାପ


ମୋ' ମନ ଭିତରେ ମହକ ବିତରେ
ସ୍ମୃତିର ସେ ମଧୁବନ
ଜାଣିଥିବ ସତେ ସୁଖରେ ନିରତେ
ବିତିଥିଲା ଯଉବନ ।
କଲି କେଉଁ ପାପ ମଉଳା ଗୋଲାପ
ଧରି ଗୋ' ଭାବୁଛି ହାତେ
ତାଜା ନାହିଁ ଗନ୍ଧ ତଥାପି ସମ୍ବନ୍ଧ
ମାରୁଛି ଝୁରାଇ ରାତେ ।
ଦେଇଥିଲ ଯାହା ସାଇତିଛି ତାହା
ଅତି ଆଦରରେ ରଖି
ସ୍ମୃତିକୁ ତୁମରି ଝୁରୁଛି ଗୁମରି
ପିଞ୍ଜରାବଦ୍ଧ ଏ ପକ୍ଷୀ ।
ତୁମ ପାଶେ ଲୟ ରଖି ଯେ ସମୟ
କେମିତି ଯାଇଛି ବିତି
ପାରିବନି ବୁଝି ନିଜ ସାଥେ ଯୁଝି
ହାରିଛି କେବଳ ନିତି ।
ଋତୁରଙ୍ଗ ବୋଳି ଖେଳୁଥିଲି ଦୋଳି
ଫଗୁଣର ସୁଖ ଭାଳି
ତୁମରି ବିହୁନେ ଆଜି କାନ୍ଦି ତୁନେ
ବିରହେ ନିଜକୁ ଜାଳି ।
କେତେ ଆନନ୍ଦରେ ତୁମ ସୁଗନ୍ଧରେ
ବିଭୋର ଥିଲି ମୁଁ ଦିନେ
ଅଭୁଲା ସେ ପ୍ରୀତି ଭିନ୍ନ ପରିସ୍ଥିତି
ଭୋଗୁଅଛି ପରାଧୀନେ ।
ଯେଉଁ ଭାବ ରଖି ସେକାଳେ ପରଖି
ପୀରତିର ପରିଭାଷା
କହିଥିଲ କାନେ ମୋର ଅବଦାନେ
ପୁରିଲା ନାହିଁ କି ଆଶା ?
ନିଜେ ଖାଇ ରାଣ ଥିବା ଯାଏଁ ପ୍ରାଣ
ନଭୁଲିବା ପାଇଁ କହି
ଏମିତି ଝୁରେଇ ରହିଲ ଦୂରେଇ
ଜୀଇଁଛି ଯାତନା ସହି ।
ବୟସ ତ ବିତି ଯାଇଛି ଅତିଥି
କିପାଇଁ ହୋଇବ ଆଉ
ବିରାଗ ସରାଗ ମଧ୍ୟେ ମୁଁ ସଜାଗ
ପ୍ରେମ ଏ' ଅମର ଥାଉ ।