STORYMIRROR

Biswanath Nayak

Romance Others

4  

Biswanath Nayak

Romance Others

ଚନ୍ଦ୍ରକଳା --------

ଚନ୍ଦ୍ରକଳା --------

1 min
643

ପାହାଡ ଉହାଡେ

ସୁରୁଜ ଡୁବିଲେ

ସଞ୍ଜ ଆସେ ନଇଁ ନଇଁ,

ଅଭିସାର ଶେଯ

ସଜାଏ କୁମୁଦ

ଚନ୍ଦ୍ରମା ପରଶ ପାଇଁ। 

ହସିହସି ନଭେ

ଚୁନାଚୁନା ତାରା

ସାଜିଲେଣି ଫୁଲଶେଯ,

ବାସ ବାଣ୍ଟିବାକୁ

କାମିନୀ କୁସୁମ

ହେଲାଣି ତ ସଜବାଜ। 

କଳଙ୍କର କଳା

ବହିଛି ଚନ୍ଦ୍ରମା

ପ୍ରେମିକର ଆଖ୍ୟା ନେଇ,

ବାଦଲ ଉହାଡେ

ଲୁଚାଉଛି ମୁହଁ

ତାକୁ ଘୋଡେଇବା ପାଇଁ। 

କହଇ କୁମୁଦ

ଆହେ ନିଶାକର

ଲୁଚାଅନା ଆଉ ମୁହଁ,

ଆମ ଦୁହିଁଙ୍କର

ପ୍ରେମ ଅନାବିଳ

କଳଙ୍କିତ କେବେ ନୁହଁ। 

ତୁମେ କେତେଦୂରେ

ମୁହିଁ କେତେଦୂରେ

ନଦିଅ ନିଜକୁ ଦୋଷ,

ଅମଳିନ ଆଉ

ଅପାର୍ଥିବ ପରା

ଆମ ଏ ପ୍ରୀତି ପରଶ। 

ପ୍ରେମ ପରିଭାଷା

ନବୁଝି ସରବେ

ପ୍ରେମକୁ ଦିଅନ୍ତି ଦୋଷ,

କାମନା ମିଶାଇ

ପ୍ରେମ ସାଗରରେ

ସୁଧାକୁ କରନ୍ତି ବିଷ। 

ଆମ ପ୍ରେମେ ଯେଣୁ

ନାହିଁଟି କାମନା

କଳଙ୍କକୁ କିଆଁ ଶଙ୍କା,

'ମୁଁ ତୁମ ପ୍ରେମିକା'

କହିବାକୁ ଏହା

ମନେ ମୋର ନାହିଁ ଦକା। 

ତୁମ ରୂପକାନ୍ତି

ସଦା ବିରାଜିଛି

ମୋ ହୃଦୟ କନ୍ଦରରେ,

ଆହେ ପ୍ରିୟତମ!

ମୋ ହସ ଲୁଚିଛି

ତୁମରି ହସ ଭିତରେ। 

ବାଦଲ ଉହାଡେ

ମୁହଁ ଲୁଚାଅନା

ମୋ ମୁଖକୁ ଟିକେ ଚାହଁ,

ଅମର ପ୍ରେମର

ଗାଥା ମୁଁ ଗାଇବି

ନିରେଖି ତୁମର ମୁହଁ।

ଧରାରେ ସଭିଏଁ

କାମନାକୁ ଯେଣୁ

ଦିଅନ୍ତି ପ୍ରେମର ନାମ,

ବାସନାର ଟୀକା

ମସ୍ତକରେ ପିନ୍ଧି

କଳଙ୍କିତ ହୁଏ ପ୍ରେମ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance