ପ୍ରେମର ସ୍ପର୍ଶ
ପ୍ରେମର ସ୍ପର୍ଶ
ଆଜି ପୁଣି କାହିଁକି ସେ ଅନ୍ୟମନସ୍କତା
କାହିଁ ପୁଣି ଆଜି ହଜିଯାଏ ମନଟା
ସେଇ ପୁରୁଣା ଦିନର ଅଫୁରନ୍ତ ପୁଲକିତ ଦିନ ମାନଙ୍କରେ
ଆଉ ମିଶି ଯାଏ ସେଇ ନିରବ ରାତିର ନିବିଡ଼ ଆଲିଙ୍ଗନରେ ।
ଖୋଜି ବୁଲେ କିଆଁ ଆଜି ତୁମ ଉଷୁମ ସ୍ପର୍ଶକୁ
ସେ ସ୍ପର୍ଶ ପରର ଶିହରଣକୁ
ମାଦକତା ଭରା ତୁମ ଅପଲକ ଦୁଇ ନୟନକୁ
ଯେଉଁ ଥିରୁ ଝରି ପଡୁ ଥାଏ ମୋ ପ୍ରତି
ଅନବିଳ ପ୍ରେମର ବାରିଧାରା ।
ଆଜି କାଇଁ ବ୍ୟତିବ୍ୟସ୍ତ ତୁମ ଉଛୁଳା ସ୍ରୋତସ୍ୱିନୀରେ
ପୁଣି ଥରେ ଭାସି ଯିବାକୁ
ପୁଣି ଥରେ ମିଶି ଯିବାକୁ ସେଇ ଗଭୀରତମ ଜଳରାଶିରେ
ଲୀନ ହୋଇ ଯିବାକୁ ତୁମ ପ୍ରେମର ଗର୍ଭ ଦେଶରେ ।
କ
ିଆଁ ଅବୁଝା ଶିଶୁ ପରି ଜିଦ ଧରେ ଆଜି ଏ ହୃଦୟଟା
ସତେ ଅବା ଏଇ ଏବେ କଇଁ କଇଁ କାନ୍ଦି ଉଠେ
ବାନ୍ଧି ହୋଇ ଯିବାକୁ ତୁମ ନିବିଡ ବାହୁ ବନ୍ଧନରେ
ଆବଦ୍ଧ ହୋଇ ରହିବାକୁ ତୁମ ହୃଦୟ ପିଞ୍ଜରାରେ ।
ଆଜି ପୁଣି ଲୁଚି ଯିବାକୁ ଅଧିର ଏ ମନ
ତୁମ ପ୍ରେମର ଘଞ୍ଚ ଅରଣ୍ୟରେ
ପୁଣି ଖେଳିବାକୁ ଇଚ୍ଛା ହୁଏ ଲୁଚକାଳି ଖେଳ
ଦେଖିବାକୁ ତୁମ ଉନ୍ମାଦନା ମୋତେ ପାଇବାକୁ ।
ଆସ ଥରେ ଆଜି ହେ ପ୍ରିୟତମ
ପୁଣି ଥରେ ଆଙ୍କି ଦିଅ ତୁମ ପ୍ରେମ ରଙ୍ଗତୂଳି ଧରି
ପୁଣି ଚିତ୍ରିତ ହୋଇ ଯାଉ ମୋ ଫିକା ବନାନୀ
ପ୍ଲାବିତ ହେଉ ଶୁଷ୍କ ନିର୍ଝରଣୀ
ତୁମ ଶାଶ୍ୱତ ପ୍ରେମର ଅନ୍ତରଙ୍ଗ ଆଲିଙ୍ଗନରେ ।