ପ୍ରଣୟ ଭାବନା
ପ୍ରଣୟ ଭାବନା
ଯେ ଦିନ ପାଇଲି ସଖୀ ଗୋ
ତମ ପ୍ରଣୟ ବାରତା
ମାନସେ ମୋର କେତେ ଯେ ଭାବନା
ଘୂରି ଘୂରି ଯାଏ ମଥା ।
ତୁମ ରୂପ ଗୁଣ ବର୍ଣ୍ଣନା ସହୀ
କରିଲି ଯେବେ ଶ୍ରବଣ
ସକଳ ଇନ୍ଦ୍ରିୟ ଅପେକ୍ଷା କଲେ
ତୁମରି ଶୁଭ ମିଳନ ।
କନକ ପ୍ରତିମା ତୁମେ ଗୋ
କଳପନାରେ ଭାସ
ତୁମେ ଗୋ ମରତ ଗଉରୀ
ମୋର ମାନସେ ଆସ ।
କଳାବଉଦ ମୁଁ ହୋଇଲେ ଗୋରୀ
ତୁମେ ଗୋ ହେବ ଚପଳା
ପଙ୍କିଳ ଜଳ ମୁଁ ସହୀ ଗୋ
ତୁମେ ଅଟ ନିର୍ମଳା ।
ପ୍ରିୟତମେ ମୁଁ ଗୋ ବସନ୍ତ
ତୁମେ ମଧୁ କୂଜନ
ତପନ ଯେ ମୁଁ ସହୀରେ
ତୁମେ ସ୍ନିଗ୍ଧ ଚନ୍ଦନ ।
ସଜନୀ ଯେବେ ମୁଁ ବରଷା
ତୁମେ କବିତା ସିନ୍ଧୁ
ଶରତ ଯେବେ ମୁଁ ପ୍ରେୟସୀ
ତୁମେ ବିମଳ ଇନ୍ଦୁ ।
ସହୀ ମୁଁ ହେମନ୍ତ ତୁମେ ଗୋ
ଶୁଭ୍ର ଶିଶିର ତୁଲ
ଶୀତ ମୁହିଁ ଯେବେ ପ୍ରିୟାରେ
ତୁମେ ଶୀତ ଦୁକୁଳ ।
ପ୍ରିୟ ମୁଁ ପ୍ରେୟସୀ ତୁମେ ଗୋ
ତୁମ ଅଭାବେ ସହୀ
ପ୍ରଣୟିନୀ ତେଣୁ ପ୍ରଣୟୀ
ପ୍ରାଣ ହୁଅଇ ଦହି ।
----୦-----