STORYMIRROR

Sradhanjali Panigrahi

Romance

4  

Sradhanjali Panigrahi

Romance

ଗୋଲାପ

ଗୋଲାପ

1 min
248

ଶୁଣିଥିଲି ,

ପ୍ରେମର କୁଆଡେ ପ୍ରତୀକ ଗୋଲାପ

ଗୋଲାପୀ ପ୍ରେମର ରଙ୍ଗ

ନ ଦେଲେ ଗୋଲାପ, ଗୋଲାପିର ସ୍ପର୍ଶ

କ'ଣ ହୁଏ ପ୍ରେମ ପଟ୍ଟ ଦାଗ ?


ବୁନ୍ଦାବୁନ୍ଦା ଶିଶିରର ସ୍ପର୍ଶେ ଯେବେ

ପାଖୁଡା ମେଲାଏ ଗୋଲାପ

ସୂର୍ଯ୍ୟୋଦୟ ଆଭା ବିଚ୍ଛୁରିତ ହୋଇ

ମନ ମୋହେ ତାର ରୂପ ।


ହେ ଗୋଲାପ !

ତୁମେ କ'ଣ ସତରେ ପ୍ରେମର ସନ୍ତକ ?


ମାତ୍ର,

ତୁମେ ଭୁଲ ବୁଝିବନି ହେ ଗୋଲାପ

ତୁମ ବିନା ମଧ୍ୟ ଚଢେ ପ୍ରେମ ରଙ୍ଗ

ଯେବେ ସାଥୀ ହୁଏ ମୋ ପ୍ରେମିକ ।


ସେ .............

ଢାଳି ଦେଇଗଲା ପ୍ରେମର ଅବିର

ଉନ୍ମାଦନା ଭରି ଦେଇ

ବସନ୍ତ ଋତୁର ପତ୍ରଝଡା ଦେହେ

ଆଙ୍କି ଦେଲା ତା'ର ଛବି ।


ବୈଶାଖରେ ଯେବେ ତାତି ଜ୍ୱାଳା ଦେହେ

ଜଳି ଯାଉଥାଏ ବୁକୁ

ତା ଉଷୁମ ସ୍ପର୍ଶେ ଶୀତଳତା ମିଳେ

ନିର୍ବାପିତ ବହ୍ନି ମନୁ ।


ବର୍ଷା ଭିଜା ସେଇ ମାଟିର ବାସ୍ନା ସେ

ଅଙ୍କୁରିତ ପ୍ରେମ ମଞ୍ଜି

ଶରତ ଋତୁର କାଶତାଣ୍ଡି ଫୁଲେ

ସଯାଏ ମୋ ଖୋସା ବାନ୍ଧି ।


ଶୀତୁଆ ସକାଳେ ତା' ବାହୁ ବନ୍ଧନେ

ଆଙ୍କି ହୁଏ କେତେ ଛବି

ରୋମାଞ୍ଚର ସେହି ନିବିଡ ଚିତ୍ରରେ

ରଙ୍ଗ ପଡେ ନାହିଁ ବାକି ।


ନୀଳ, ହଳଦିଆ ଆଦି ରଙ୍ଗ ତୂଳି

ଆଙ୍କି ହୋଇଯାଏ ଦେହେ

ରଙ୍ଗହୀନ ମୋର କାନ୍ଭାସ ବୁକୁଟି

ଭରିଯାଏ ନାନା ରଙ୍ଗେ ।


ଗୋଲାପ ଦେଇନି ସେ ମୋତେ କେବେ

ଦେଇନି ପାଖୁଡା ଭେଟି

ରଙ୍ଗ ତୂଳି ଧରି ପ୍ରଥମ ରଙ୍ଗରେ

ଆଜି ରଙ୍ଗୀନ ମୋ ହୃଦୟଟି ।


ଗୋଲାପ ଦେଲନି ଗୋଲାପ ଦେଲନି

ଯେବେ ଧରିବସେ କଥା

କୁହେ, "ତୁମେ ପରା ମୋର ଗୋଲାପ ବଗିଚା

ଜାଣିନ କି ମୋର ରାଧା ।"


କେମିତି ବର୍ଣ୍ଣିବି ହେ ପ୍ରେମିକ ବର

ଶୁଷ୍କ ମୃତ୍ତିକା ଯେ ଥିଲି

ପ୍ରସ୍ଫୁଟିତା ହେଲି ରସସିକ୍ତା ହେଲି

ତୁମ ପ୍ରଥମ ପ୍ରେମରେ ଭିଜି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance