" ପ୍ରିୟା ପ୍ରଜାପତି "
" ପ୍ରିୟା ପ୍ରଜାପତି "


ତୁମେ ମୋ ଚପଳା 'ପ୍ରିୟା ପ୍ରଜାପତି'
ଘର, ଅଗଣା ଚାରିପଟେ ଘୂରିବୁଲ
ଦିନରାତି। ପ୍ରଜାପତିଙ୍କ ପରି ଦୁଇ
ଡେଣା ଝାଡି ଫରଫର ଉଡୁଥାଅ।
ମୋତେ ପବନରେ ଉଡିବା ଶିଖାଅ,
ନିଜକୁ ଭଲ ପାଇବା କଳା କହି ଦିଅ,
ଦୁଃଖର ସଂସାର ଲାଗି ସାଉଣ୍ଟି ଆଣ
ଖୁସି। ଆଶାବିଶ୍ବାସ ରଂଗ ମାଖିଦିଅ।
ପ୍ରେମ, ରୋମାନ୍ସଭରା କବିତା ଲେଖି
ଦରଦୀ କବି ପରି ଭାବପ୍ରବଣ ହୁଅ।
ତୁମ ନିଃଶ୍ବାସର ଶାନ୍ତ ଶୀତଳ ପବନ
ଜୀବନ ନଈକୂଳେ ପୁଲକ ଭରୁଥାଏ।
ତୁମ ଆଖି ସବୁବେଳେ ଖୋଜୁଥାଏ
ଉଡି ଆସନ୍ତେ କି ଯୋଡି ପ୍ରଜାପତି !!
ହାତ ଆଞ୍ଜୁଳାରେ ଧରି ଚିତ୍ରିତ ଡେଣାରୁ
ତୋଳି ଆଣନ୍ତ ସ୍ବର୍ଗୀୟ ପ୍ରେମର ରଂଗ !
ତୁମେ ନିଜ ପୃଥିବୀ ଅକ୍ଷପଥରେ ଘୂରି
ମୋ ଚାରିପଟେ ପରିକ୍ରମା କରୁଥାଅ।
ପ୍ରଜାପତି ମନ ନେଇ ଘର ଅଗଣାରେ
ଶ୍ରଦ୍ଧା ଓ ସୌନ୍ଦର୍ଯ୍ୟର ଆଭା ଭରୁଥାଅ।
ଛୋଟ କୁଡିଆକୁ " ସ୍ବପ୍ନପୁରୀ" ସଜାଇ
କାନ୍ଥରେ ପ୍ରଜାପତି ଚିତ୍ର ଆଙ୍କୁଥାଅ।
ମୋ ଭଗ୍ନ ହୃଦୟରେ ସାଇତା ପିଲାଦିନ
ହାତଗୋଡ଼ ଭଙ୍ଗା କଣ୍ଢେଇଙ୍କ ଓଠରେ
ହସ ଫୁଟାଇ ନୂଆକରି ତାଙ୍କୁ ଗଢିଦିଅ।
ତୁମେ ପାଖେ ଭୁଲିଯାଏ ନିଜ ଅସ୍ତିତ୍ବ,
ମୋ ଆତ୍ମ ପରିଚୟ, ପାଗଳ ପଣରେ।
ତୁମ ହୃଦୟରେ ଦେଖୁଥାଏ ନିଜ ଛବି
ପ୍ରଜାପତି ସାଜିବାକୁ ତୁମକୁ ଅନୁଧାବନ
କରି ପଛେ ପଛେ ମନ ଧାଉଁ ଥାଏ !!
ଦେଖିଛି, ଘର ପାଇଟି ସାରି ତୁମେ ଝର୍କା
ପାଖକୁ ଯାଇ ଠିଆ ହୁଅ, ହାତ ପାପୁଲି
ପତାଇ ପ୍ରଜାପତିଙ୍କୁ ସ୍ନେହରେ ଡାକୁଥାଅ
'ଆସ ଆସ !' ଫୁଲ ବଗିଚାକୁ ନ ଯାଇ
ସେମାନେ ଉଡି ଆସନ୍ତି ଅତି ନିକଟକୁ
ତୁମ ହାତ, ମୁକୁଳା କେଶ, ପୋଷାକ
ଉପରେ ବସି ଯାଆନ୍ତି କିଛିକ୍ଷଣ !
ପ୍ରଜାପତିଙ୍କୁ ଏତେ କାହିଁକି ଭଲପାଅ
ସେକଥା ଜାଣେନି, କେବେ ପଚାରିନି।
ତୁମେ କୁହ ସେମାନେ ଶୁଭଶକ୍ତିର ପ୍ରତୀକ
ଘରକୁ ଆସି କିଛି ନୂଆ ସଙ୍କେତ ଦେଇ
ଫୁଲ ବଗିଚାକୁ ପୁଣି ଫେରି ଯାଆନ୍ତି,
ରୂପରଂଗ ଶୋଭାରେ ସୁନ୍ଦର, ଅନୁପମ
ସବୁରି ମନ ମୋହି ପ୍ରେମର ବାର୍ତ୍ତା ଦିଅନ୍ତି।
ଜାଣେ, ଅତି ଅଳ୍ପାୟୁଷର ଜୀବନ ନେଇ
ପ୍ରଜାପତି ଜନ୍ମନ୍ତି, ବର୍ଷେ ବି ବଞ୍ଚନ୍ତି ନାହିଁ
ଚାରିଟି ଜୀବନଚକ୍ର ଦେଇ ଗତିକରନ୍ତି
ଜଗତକୁ ଦିଅନ୍ତି "ରୂପାନ୍ତରଣ" ବାର୍ତ୍ତା।
ଫୁଲରୁ ଫୁଲକୁ ଉଡି ବୁଲିବା ବେଳେ
ଛଅଟି ପାଦରେ ମଧୁର ସ୍ବାଦ ଚାଖନ୍ତି,
ଫୁଲ ରେଣୁ ବୁଣି ପରାଗସଂଗମ କରାନ୍ତି।
ମାଈ ପ୍ରଜାପତି ବଂଶ ବୃଦ୍ଧି ଲାଗି ଗଛ
ପତ୍ରରେ ଅଣ୍ଡା ଦେଇ ସଂସାର ଗଢନ୍ତି।
ସେଥିରୁ ସାଁବାଳୁଆ ଜନ୍ମି କଅଁଳ ପତ୍ର
ଖାଇ ବଞ୍ଚନ୍ତି। ଲାର୍ଭାରୁ ହୁଏ ପ୍ୟୁପା,
ରୂପାନ୍ତରିତ ହୋଇ ସାଜନ୍ତି ପ୍ରଜାପତି।
ବିଶ୍ବରେ ବିଚିତ୍ର ଏ ଜୀବନଚକ୍ର !!
ଲୋକେ କହନ୍ତି, ରୂପାନ୍ତରଣ ପ୍ରକ୍ରିୟା
ଦେଇ ପ୍ରଜାପତି ଦିବ୍ୟତ୍ବ ଲାଭ କରି
ସ୍ବର୍ଗରୁ ଦିବ୍ୟ ବାର୍ତ୍ତା ନେଇ ଆସନ୍ତି।
ଦେହର ବାସ୍ନାରେ ଆକର୍ଷିତ ହୋଇ
ଚାଲି ଆସନ୍ତି ଘରକୁ ଭୁଲା ପ୍ରଜାପତି।
ସେମାନେ ସାମାଜିକ ଜୀବ, ପରିବେଶ
ପ୍ରିୟ। କ୍ଷୁଦ୍ର କୀଟ ଖାଇ ଗଛକୁ ସୁରକ୍ଷା
ଦିଅନ୍ତି। ଝିଟିପିଟି, ବେଙ୍ଗ ଓ ମୂଷାଙ୍କ
ଭଳି ଜୀବଙ୍କ ପାଟିରେ ଖାଦ୍ୟ ସାଜନ୍ତି।
ପ୍ରିୟା ତୁମେ ଶ୍ରେଷ୍ଠ ସାମାଜିକ ପ୍ରଜାପତି !
କେହି ନାହିଁ ହେବାକୁ ତୁମ ସମତୂଲ୍ୟ।
ଆଖିର ଲୁହ ପିଇ ଖୁସି ବାଣ୍ଟୁଥାଅ
ଅଗଣାରେ ସଞ୍ଜ ସଳିତା ଭଳି ଜଳୁ ଥାଅ।
ସେ ତ୍ୟାଗ, ପ୍ରେମର ପଟାନ୍ତର ନାହିଁଁ !
ତୁମ ବିନା ଏ ଘର ଲାଗନ୍ତାନି ଘର ଭଳି,
ନିଜ ପରିଚୟ ଖୋଜି ମୁଁ ପାଆନ୍ତିନି।
ଜୀବନ ଯେତେ କ୍ଷଣସ୍ଥାୟୀ ହେଉ,
'ଯୋଡି ପ୍ରଜାପତି' ସାଜି ଉଡୁଥିବା।
ମଧୁମୟ, ନିତ୍ୟ ପ୍ରେମର ମୃତ୍ୟୁ ନାହିଁ ,
ରୂପାନ୍ତରଣରୁ ନୂଆ ଜୀବନ ଆରମ୍ଭ
ଜଗତକୁ ସତ୍ୟର ବାର୍ତ୍ତା ଦେଉଥିବା।
*******