ହୃଦୟ ଖୋଲି ଦେଖ
ହୃଦୟ ଖୋଲି ଦେଖ
ଆଖିରେ ନୁହେଁ, ହୃଦୟରେ ଦେଖ
ନିଜକୁ, ନିଜ ଭିତର ସୂକ୍ଷ୍ମ ପୃଥିବୀକୁ
କେମିତି ଦିଶୁଛି, ସମୁଦ୍ର ଓ ପାହାଡ,
ନଈ, ବଣ,ବିଲବାଡି, ସୂର୍ଯ ଓ ଚନ୍ଦ୍ରଙ୍କ
ଉଦୟ, ଅସ୍ତ ଛବି। ନୀଳ ଆକାଶର
ଶୂନ୍ୟତା, ଭସା ମେଘ, ତାରାମାଳା
କେମିତି ଦିଶୁଛି ଦେଖ ତୁମ ଆଖିର
ସ୍ବପ୍ନ, ଦେହ ଭତରେ ଲୁଚି ରହିଥିବା
ଚର୍ମହୀନ ନଗ୍ନ ଅସ୍ଥି କଙ୍କାଳର ରୂପ
ନଶ୍ବର, ଆଜି ଅଛି କାଲିକି ନାହିଁ ।
ପାରୁଛୁ ଯଦି ହୃଦୟ ଖୋଲି ଦେଖ
କେମିତି ରଚନା ହୋଇଛି ଚକ୍ରବ୍ୟୁହ
ସାତୋଟି ଶକ୍ତି କେନ୍ଦ୍ର ସପ୍ତ ମହାରଥୀ,
ଧ୍ୟାନ ମୁଦ୍ରାରେ ବସି ଜଗିଛନ୍ତି ଦ୍ବାର।
ଇନ୍ଦ୍ରଧନୁ ପରି ଝଟକୁଛି ସାତ ରଂଗ
ହୃଦୟ ମଧ୍ୟଦେଇ ପ୍ରବାହିତ ହେଉଛି
ଶକ୍ତିଉତ୍ସରୁ ନିରନ୍ତର ଜୀବନ ସ୍ରୋତ।
ନିଜ ଭିତର ପୃଥିବୀକୁ ନିରେଖି ଦେଖ
ସ୍ପଷ୍ଟ ଦିଶିବ ଅସ୍ତିତ୍ବର କଙ୍କାଳସାର ଛବି,
ଯାହାକୁ ବେଢିଛି ଚର୍ମ, ମାଂସପେଶୀ
ସହସ୍ର ଲୋମକୂପ ଓ ରକ୍ତ ନାଳିକା
ସପ୍ତ ଶକ୍ତିକେନ୍ଦ୍ର ମଧ୍ୟରେ ନୀଳହୃଦୟ
ତୋଳି ଧରିଛି ଶାଶ୍ବତ ଜୀବନ ରୂପ ।
ଜାଣେନି ଟିକି ହୃଦୟରେ ଏତେ ଜାଗା
କେଉଁଠୁ ଆସେ ଯାହା ସୂକ୍ଷ୍ମ ରୂପରେ
ଧରି ରଖେ ଅକଳ୍ପନୀୟ ବିଶ୍ବରୂପ।
କେବେ କାଚଘର ଭଳି ଭାଂଗିପଡେ
ହୃଦୟ। କେବେ କୋହ, ଲୁହରେ ଭିଜେ,
ପ୍ରେମିକା ଲାଗି ସଜାଏ ସ୍ବପ୍ନର ମନ୍ଦିର
କେବେ ଜୀବନ ସଂଘର୍ଷର ରଣକ୍ଷେତ୍ର
ପାଲଟି ଲହୁଲୁହାଣ, ବିଷାଦଗ୍ରସ୍ତ ହୁଏ।
ନିଜକୁ ଅଭିମନ୍ୟୁ ବେଶରେ ସଜାଇ
ଚକ୍ରବ୍ୟୁହରେ ବଳି ପକାଇ ଦେବାକୁ
ଉନ୍ମୁଖ ହୋଇ ମୁକ୍ତିର ପଥ ଖୋଜେ ।
ଶରୀର ତତ୍ତ୍ବରେ ଦେଖ ସୁଷମ୍ନା କାଣ୍ଡରେ
ସାତ ଶକ୍ତିକେନ୍ଦ୍ର ଲୌକିକ ଜାମିତିକ ରୂପ
ଦେହ, ମନ, ଆତ୍ମାରେ ସମନ୍ବୟ ଆଣେ
ନିମ୍ନ ଭାଗରେ ଚାରିଦଳ ପଦ୍ମ ଫୁଲରେ
ଶୋଭାପାଏ ନାଲି ରଂଗର ମୂଳାଧାର
ପୃଥିବୀ ତତ୍ତ୍ବଧାରକ, ଜୀବନ ମୂଳଉତ୍ସ।
ନାଭି ତଳକୁ କମଳା ରଂଗର ସ୍ପର୍ଶକାତର
ସ୍ବାଧିସ୍ଥାନ ଚକ୍ର। ଷଡଦଳ ବିଶିଷ୍ଟ, ଜନ୍ମ,
ମୃତ୍ୟୁ ଓ ପୁନର୍ଜନ୍ମ ପ୍ରକୃତି ଚକ୍ର ସୂଚକ।
ଏହାକୁ ଜଗିଥାଏ ଅଳସୁଆ କୁମ୍ଭୀର।
ତଳିପେଟ ସିଧା ସୁଷମ୍ନା କାଣ୍ଡରେ ଥାଏ
ହଳଦୀ ବର୍ଣ୍ଣ ମଣିପୁରା ଚକ୍ର। ଦଶ ଦଳ
ବିଶିଷ୍ଟ, ଯାହା ସୂର୍ଯ୍ୟ, ଅଗ୍ନି ତତ୍ତ୍ବଧାରକ
ଆତ୍ମସମ୍ମାନ ବୋଧର ଅବଧାରଣା ଦିଏ
ମନରେ କାମନା, ଭାବପ୍ରବଣତା
ଜଗାଏ,
ଏହା ଶୁଦ୍ଧତା ଓ କୁମାରୀତ୍ବର ପ୍ରତୀକ ।
ହୃଦୟ ନିକଟ ସୁଷମ୍ନାକାଣ୍ଡରେ ଥାଏ
ସବୁଜ ରଂଗ ଆଭାଯୁକ୍ତ ଅନାହତ ଚକ୍ର,
ପ୍ରେମ ଓ ଆଧ୍ୟାତ୍ମିକ ଚେତନାକୁ ଯୋଡେ
ଦେହ, ମନ, ଆତ୍ମାକୁ ବିଶୁଦ୍ଧକରି ରଖେ
ବାର ଦଳ ବିଶିଷ୍ଟ ପଦ୍ମ ସ୍ବରୂପ କ୍ଷେତ୍ର
ଏକୁଟିଆ ହୋଇଯିବା ଭୟରେ ସର୍ବଦା
କାତର ପଣରେ ଥରହର ହେଉଥାଏ।
କଣ୍ଠଦେଶ ସୀମାରେ ନୀଳ ରଂଗଧାରୀ
ବିଶୁଦ୍ଧ ଚକ୍ର, ଷୋହଳ ଦଳ ବିଶିଷ୍ଟ ପଦ୍ମ
ସ୍ନେହ,ପ୍ରେମ, କ୍ଷମା, କରୁଣାର ଆଧାର,
ଏହା ନିଃସର୍ତ୍ତ ପ୍ରେମ, ସ୍ଥିରତା, ପବିତ୍ରତା
ସୂଚକ। ବାୟୁ ତତ୍ତ୍ବ ସହ ଜଡିତ ହୃଦୟ
ଚକ୍ର ଖୋଲିବାରେ ସହାୟତା କରେ ।
କପାଳ ଦେଶରେ ଥାଏ ନୀରବମୁଦ୍ରାରେ
ଦୁଇ ଦଳ ପଦ୍ମଯୁକ୍ତ ଘନନୀଳ ଜ୍ଞାନ ଚକ୍ର,
ତୃତୀୟ ନେତ୍ର। ସବୁ ସ୍ପଷ୍ଟ ଦେଖିପାରେ,
ମନ୍ତ୍ରଧ୍ବନି ସହ ସମ୍ପୃକ୍ତ ଓ ଯୋଗ କାରକ
ସ୍ବୟଂ ଓ ଈଶ୍ବର ମଧ୍ୟରେ ଦ୍ବୈତ ଇନ୍ଦ୍ରିୟ
ସବା ଶୀର୍ଷରେ ଥାଏ ବାଇଗଣି ରଂଗର
ଶତଦଳ ବିଶିଷ୍ଟ ମୁକୁଟ ଚକ୍ର। ଆଧ୍ୟାତ୍ମିକ,
ପ୍ରଜ୍ଞା ଧାରକ। ଭାବଜଗତ ସହ ସମ୍ପର୍କ
ଯୋଡେ, ସବୁଚକ୍ରର ଦେଖାଶୁଣା କରେ,
ଆଭାର ସୌନ୍ଦର୍ଯ୍ୟକୁ ବିକଶିତ କରାଏ।
ମନର ଭାବାବେଗ ଓ ଅବସ୍ଥା ଅନୁଯାୟୀ
ଶକ୍ତିକେନ୍ଦ୍ର ଆଭା ରଂଗ ବଦଳାଇ ଥାଏ।
ସାତ ଚକ୍ର ବାଦେ ଶରୀରଠାରୁ ଊର୍ଦ୍ଧ୍ବରେ
ରହିଛି ଦୁଇଟି ସୂକ୍ଷ୍ମ ଚକ୍ର, ଗୋଟିକରେ
ଦିବ୍ୟଶକ୍ତି, ଅନ୍ୟ ଚକ୍ର ଭିତରେ ନିଜେ
ହିଁ ଅବସ୍ଥାନ କରିଥାନ୍ତି ଭଗବାନ ।
ଥରେ କୁଣ୍ଡଳିନୀ ଜାଗ୍ରତ ହେଲେ ଦେହର
ପୂର୍ବ ସ୍ଥିତି ବଦଳିଯାଏ। ଆତ୍ମା ମୁକୁଳିତ
ହୁଏ, ଜୀବନ ପାଲଟିଯାଏ ତପ ଭୂଇଁ।
ଅନ୍ୟ ଦୁଇ ରଂଗର ଆଭା ସାରାଦେହକୁ
ବେଢିଥାଏ, ଆଖିକୁ ହୁଏନି ଦୃଶ୍ୟମାନ।
ଜାଣେ, ଦୁଇ ଫୁସଫୁସର ମଝିରେ ଥାଏ
ହୃଦୟ, ଯାହା ରକ୍ତନାଳି ଦେଇ ଦେହକୁ
ଶକ୍ତି ସଞ୍ଚରଣ କରି ଜୀବନ ଭରୁଥାଏ।
ଗାଁ କମାରଶାଳ ପରି ରକ୍ତରଙ୍ଗର ନିଆଁ
ଜଳୁଥାଏ, କେହି ଜଣେ ତତଲା ଛୁରୀକୁ
ହାତୁଡିରେ ପିଟି ନିୟତ ଧାର ଦେଉଥାଏ,
ହୃଦୟ ଚିରି ଆତ୍ମାକୁ ମୁକୁଳାଇ ଦେବାକୁ,
ଶରୀର ଚକ୍ରବ୍ୟୁହର କପଟ ବନ୍ଧନରୁ।
ହୃଦୟ ଖୋଲି ଦେଖ, ଦିଶିବ ଭୂମିତତ୍ତ୍ଵରୁ
ଆକାଶ, ଅସୀମ ଯୋଗ ଶକ୍ତିର ସ୍ବରୂପ,
ଲୌକିକତାରୁ ଊର୍ଦ୍ଧ୍ବାୟିତ ହେବା ମାର୍ଗ ।
*******