ଅଭାଗିନୀ
ଅଭାଗିନୀ


ଏଡେ ଅଭାଗିନୀ ଜୀବନଟା ମୋର
ନ ଯାଇ ରହିଛି କିଆଁ
ହାତ ଠାରି ଉପହାସ କରୁଅଛି
ଆଜି ଏ ସାରା ଦୁନିଆ ।
କଳଙ୍କରେ ଭରା ହେଇଛି ଜୀବନ
ଭାଙ୍ଗିଗଲା ମୋର ସୁଖର ସପନ
ଜଳୁଛି ହୃଦୟେ ନିଆଁ
କି ଦୋଷ କଲି କାଳିଆ ।
ଛୋଟ ବେଳୁ ମାଆ କିଏ ମୁଁ ଜାଣିନି
ଦେଖିନି ବାପାର ମୁହଁ
ଆଖି ଖୋଲି ଯେବେ ଦୁନିଆ ଦେଖିଲି
ଆଖିରେ ଥିଲା ମୋ ଲୁହ ।
ଜେଜେ ମା କୋଳରେ ବଢିଲି ମୁଁ ଯାଇ
ତା ପଣତ ଥିଲା ମୋ ଆସରା ଛାଇ
ସେ ବି ହେଲା ଦି ଦିନିଆ
ଲାଗିଲା ମନରେ ନିଆଁ ।
ଯାହାକୁ ନିଜର ମୁଁ ଭାବୁଥିଲି
ସିଏ କଲା ମୋତେ ପର
ଅଢେଇ ଦିନକୁ କନିଆଁ ସଜେଇ
ପଠେଇଲା ଶାଶୁଘର ।
ଜାଣି ମୁଁ ନ ଥିଲି ଥିଲା ତା ଛଳନା
ଦୂରେଇ ଦେବାଟା ଥିଲା ତା ବାହାନା
ଜାଳିଲା ଲଗେଇ ନିଆଁ
କି ଦୋଷ କଲି&nbs
p;କାଳିଆ ।
ଚାହିଁ ମୁଁ ନ ଥିଲୁ ତୋଳିବାକୁ ଘର
ଦେଲା ସେ ସିନ୍ଦୂର ଗାର
ମିଛରେ ଭଣ୍ଡେଇ ସୁଖର ସଂସାର
ଭାଙ୍ଗି ଦେଲା ଶଙ୍ଖା ମୋର ।
ଦୁନିଆ ଆଖିରେ ବିଧବା ମୁଁ ହେଲି
ସମାଜର ଟାହି ଟାପରା ଶୁଣିଲି
ହେଲି ମୁଁ ହୀନିମାନିଆ
କି ଦୋଷ ମୋର କାଳିଆ ।
କିଏ କହେ ଅଲକ୍ଷଣୀଟିଏ ମୁହିଁ
କିଏ କହେ ଅଭାଗିନୀ
ଯେ କୁଳ ଛୁଇଁଲା ସେ କୁଳ ବୁଡିଲା
ସାଥେ କେହି ରହିଲେନି ।
କି ବେଳାରେ ମୋତେ ଜନମ ତୁ ଦେଲୁ
ନିନ୍ଦା ଉପହାସ କଳଙ୍କ ଭରିଲୁ
କଲୁ ତୁ ହୀନିମାନିଆ
କି ଦୋଷ କଲି କାଳିଆ ।
ଯେ ଡାଳ ଧରିଲି ସେ ଡାଳ ଭାଙ୍ଗିଲା
ନାହିଁ ମୋ ଆସରା କେହି
ତୋ ପାଦେ କାଳିଆ ଭରସା କରିଛି
ତୁ ଧୋକା ଦେବୁ ନାହିଁ ।
ଏ ଅଭାଗିନୀର ତୁ ଶେଷ ବିଶ୍ବାସ
ଭରିବୁନି କେବେ ବିଶ୍ୱାସରେ ବିଷ
ରଖିବୁ ପାଦ ତଳିଆ
ସାଥେ ମୋ ଥିବୁ କାଳିଆ ।