ଜୀଇଁବ ତ ଜୀଅଁ ପ୍ରେମରେ
ଜୀଇଁବ ତ ଜୀଅଁ ପ୍ରେମରେ


ଜୀଇଁବତ ଜୀଅଁ ପ୍ରେମରେ
ମରିବ ତ ମର ପ୍ରେମରେ ।
ପ୍ରେମ ତ ଶାଶ୍ଵତ ପ୍ରେମ ତ ଅମର
ପ୍ରେମ ତ ପବିତ୍ର ଅଟେରେ ।
ଜୀଇଁବ ତ ଜୀଅଁ ପ୍ରେମରେ ।
ଜନମରୁ ମୃତ୍ୟୁ ପ୍ରେମ ଅଛି ରହି
ହୃଦୟ ଇଲାକେ ଚିରସ୍ରୋତା ସେହି ।
ପ୍ରେମ ବିନା ନାହିଁ ଜୀବନର ଗତି
ପ୍ରେମ ଖୁସି ଦିଏ ଦୁଃଖ କରେ ଇତି ।
ପ୍ରେମ ହିଁ ଜୀବନ ସୁଖ ଶାନ୍ତି ଭରା
ତା ପାଇଁ ମାନବ ବଞ୍ଚେରେ ।
ମରିବ ତ ମର ପ୍ରେମରେ ।
ଆଖିରେ ଭରେ ସେ ଅନେକ ସପନ
କେବେ ସେ ଶ୍ରାବଣ କେବେ ତ ଫଗୁଣ ।
କେବେ ଫୁଲ ଫୁଟେ କେବେ କଣ୍ଟା ଥାଏ
ଲୁହ ଭରି କେବେ ହସ ସେ ଖେଳାଏ ।
ଦୁଃଖ ସୁଖ ଭରା ଥଟ୍ଟା ମଜା ପ୍ରେମ
ବଞ୍ଚିବା ଶିଖାଇ ଦିଏରେ ।
ଜୀଇଁବ ତ ଜୀଅଁ ପ୍ରେମରେ ।
କଳଙ୍କିତ କେବେ ଏ ପ୍ରେମ କରନା
ଭଲ ପାଅ ଯଦି ଧୋକା ବି ଦିଅନା ।
କେଦାର ଗୌରୀଙ୍କ ପରି ଭଲ ପାଅ
ସ୍ବାର୍ଥ ପାଇଁ କେବେ ଦୂରେଇ ନ ଯାଅ ।
ଏକ ମନ ଏକ ଆତ୍ମା ହେଇ ନାଆଁ
ରଖି ଦିଅ ଏଇ ଧରାରେ ।
ମରିବ ତ ମର ପ୍ରେମରେ ।
ପ୍ରେମରେ ସଭିଁଙ୍କୁ କର ଆପଣାର
ହୃଦୟରୁ ଘୃଣା ଭାବ ହେବ ଦୂର ।
ପ୍ରେମ ବଦଳାଏ ମଣିଷ ପ୍ରକୃତି
କୁପଥରୁ ଆଣେ ସିଏ ତ ସୁଗତି ।
ଏଇ ପ୍ରେମ ପାଇଁ ଏଇତ ମଣିଷ
ହେଇଯାଏ କେତେ ଭଲରେ ।
ମରିବ ତ ମର ପ୍ରେମରେ ।
ଏମିତି କେହିତ ନାହିଁ ଏ ସଂସାରେ
ପ୍ରେମ ବିନା ବଞ୍ଚି ରହିଛି ଧରାରେ ।
ପ୍ରେମ ପାଇଁ ଆଜି ସମ୍ପର୍କ ତିଷ୍ଟିଛି
ପ୍ରେମର ବିଚ୍ଛେଦେ ବନ୍ଧୁତା ତୁଟିଛି।
ପ୍ରେମରେ ଯୋଉଠି ଅହଂଭାବ ଆସେ
ମନ ଭାଙ୍ଗି ତୁଟି ଯାଏରେ ।
ମରିବ ତ ମର ପ୍ରେମରେ ।
ପ୍ରେମ ପାଇଁ ସ୍ବାର୍ଥ ଦେଇ ଦିଅ ବାଜି
ମନ ଲାଖି ସାଥି ନିଜେ ଆଣ ଖୋଡି ।
ଶେଷ ପରିଯନ୍ତେ ସାଥେ ରହି ଥାଅ
ଯାହା ହେଇଯାଉ ଛାଡି କି ନ ଯାଅ ।
ଦୁଃଖ କଷ୍ଟ ଝଡଝଞ୍ଜା ଯେତେ ଆସୁ
ରହିଥିବ ହେଇ ସାଥିରେ ।
ମରିବ ତ ମର ପ୍ରେମରେ ।
ଏଇତ ଜୀବନ ଅଢେଇ ଦିନିଆ
ଧୋକା ଦେଇ କଷ୍ଟ ମନେ ଦେବ କିଆଁ ।
ପ୍ରେମରେ ଆରମ୍ଭ ପ୍ରେମରେ ତ ଶେଷ
ମଶାଣୀ ଜୁଇରେ ହୁଏ ସେ ପାଉଁଶ ।
ପ୍ରେମତ ଜୀବନ ପ୍ରେମ ତ ସପନ
ବଞ୍ଚେଇ ରଖେ ସେ ସ୍ନେହରେ ।
ମରିବ ତ ମର ପ୍ରେମରେ ।