ଅବିସ୍ମରଣୀୟ ' ମୋ ଗାଁ '
ଅବିସ୍ମରଣୀୟ ' ମୋ ଗାଁ '


କି ସୁନ୍ଦର ଆହା କି ଆନନ୍ଦ ମୟ
ଏହି ଯେ ଆମରି ଗାଁଆ
ନଇ ଆରପଟେ ଝିଲି ମିଲି ଦିଶେ
ଛୋଟିଆ ତାହାରି ନାଁଆ ।
ଝାପସା ଝାପସା ଦେଖା ଯାଉ ଅଛି
ଦୂର କୁ ସୁନ୍ଦର ଦିଶେ
ପୂରୁବ ଦିଗରୁ ସିନ୍ଦୁରା ଫଟାଇ
ସୁରୂଜ ଦେବତା ଆସେ ।
ସକାଳ ପଖାଳ ଖାଇ ଚାଷି ଭାଇ
ବିଲେ ନେଇ ଯାଏ ହଳ
କାଳିଆ କସରା ବଳଦ ଦୁହିଁଙ୍କୁ
ଦେଇ କୁଣ୍ଡା ଘାସ ଜଳ ।
ନଦୀ ରେ ପଡ଼ିଛି ନାବ ଏକ ଗୋଟି
ପାଉ ନାହିଁ ତାର କାତ
ପୁବେଇ ପବନ ମାଡ଼ି ଆସୁ ଅଛି
ନାଉରିଆ ଗାଏ ଗୀତ ।
ଗାଇଆଳ ପିଲା ଗାଈ ଜଗି ଛନ୍ତି
ନଦୀ ପଠା ଆର ପାରି
କିଃ ସୁନ୍ଦର ସେହି ପୁର ପଲ୍ଲୀ ଗ୍ରାମ
ବିଲ ବନ ଗିରି ଶିରି ।
ଆମ୍ବ ଗଛ ଡାଳେ କୋଇଲି ବସିକି
ଗାଉ ଅଛି କେତେ ଗୀତ
ବାଜିଲାଣି ତେଣେ ବିଦ୍ୟାଳୟ ଘଣ୍ଟି
ସାଥିରେ ଯାଆନ୍ତି ମିତ ।
ଦୁରେ ଦେଖା ଯାଏ ଜୁଇ ହୁତୁ ହୁତୁ
ଭୂତ କୋଠୀ ପଛ ପଟେ
ଭୂତ ପେତ ଆଉ ଡାହାଣୀ ଚିର୍କୁଣି
ନାଟ କରନ୍ତି ସେ ପଟେ ।
ରାତି ଅଧ ଟାରେ ନିଝୁମ ରାତିରେ
ଭୂତ କୋଠୀ ନୀତି ଡାକେ
ଅନ୍ଧାର ରାତିରେ ମଶାଣୀ ବୁକୁରେ
ହୂତୁ ହୂତୁ ନିଆଁ ଉଠେ ।
ଆମ ଗାଁଆ ମଶାଣୀ କଥା ଶୁଣି ଶୁଣି
କୁନା କୁନି ଙ୍କୁ ଛାନିଆ
ସଞ୍ଜ ନଇଁ ଗଲେ ଅନ୍ଧାର ଆସିଲେ
ମଶାଣୀ ରେ ଜଳେ ନିଆଁ ।
ମାଆ ମାଆ ବୋଲି ଯେତେ ଡାକିଲେ ବି
ପଣତ କାନି ଙ୍କୁ ଧରି
ସବୁ ଏଠି ପର ନୁହେଁ କେ ନିଜର
ଜୁଇ ଡାକେ ହାତ ଠାରି ।