ଲୁହ ଓ ମୋହ
ଲୁହ ଓ ମୋହ


ଆସକ୍ତ ପରାଣ ସିକ୍ତ କରି ଯେବେ
ଆଖିରୁ ଝରାଏ ଲୁହ,
ଦୂର ହେବା ଭୟେ ହୃଦ ଫାଟିଯାଏ
ଭାରି ଅବୁଝା ଏ ମୋହ ।
ଜୀବନ ସରିତା ବହି ଚାଲିଥାଏ
କୂଳରୁ କୂଳକୁ ଛୁଇଁ,
କିଛି କୂଳ ସହ ବନ୍ଧା ପଡ଼ିଯାଏ
ହୃଦୟର ଚରା ଭୂଇଁ ।
ଗୋଟାପଣେ ନିଜ ପ୍ରେମ ସୀମାବଦ୍ଧ
କରିବାକୁ ଚିନ୍ତି ମନେ,
ଭାବନା ରଜ୍ଜୁରେ ବାନ୍ଧି ମୋହ ବଶେ
ସ୍ବାଧୀନତା ହଜେ ବନେ ।
ଆଶା ବଗିଚାର ଆୟୁଷ ସରିଲେ
ସ୍ୱପ୍ନ ଯେବେ ଯାଏ ଭାଜି,
ବାଟ ହୁଡ଼ିଗଲେ ମୋହ ଭାଙ୍ଗିଯାଏ
ଜାଳେ ନିୟତିର ଝାଞ୍ଜି ।
ମହ ମହ ବାସେ ମୋହର ମଦିରା
ପ୍ରିତୀ ମହୋଦଧି କୂଳେ,
ଆସକ୍ତିର ଚାପ ହେଲେ ଘନୀଭୂତ
ଭାବ ଭାସେ ଭବ ଜଳେ ।
ସମ୍ପର୍କକୁ ଦେଇ ପୂର୍ଣ୍ଣ ସ୍ବାଧୀନତା
ପ୍ରାପ୍ତିର ପ୍ରବାଳ ଭୁଲି,
ଆତ୍ମ ସୁଖ ଛାଡ଼ି ହାସ୍ୟ ବିତରିଲେ
ଶୁଦ୍ଧ ପ୍ରେମ ଯାଏ ଝରି ।