STORYMIRROR

Smruti Ranjan Tripathy

Abstract Inspirational

3  

Smruti Ranjan Tripathy

Abstract Inspirational

ଚନ୍ଦ୍ରବିନ୍ଦୁ

ଚନ୍ଦ୍ରବିନ୍ଦୁ

1 min
210


ଯୋଉ ଅକ୍ଷର ସବୁ 

ମେଳି ହୋଇ

ଆଣିଦେଇଥିଲେ

ସଂସ୍କରଣର ପୂର୍ଣ୍ଣତା, 

ଆଉ ଶୁଭୁନି 

ସେ ଶବ୍ଦ ଖେଳର ସ୍ୱର

ଯୋଉ କଳସ ଭର୍ତ୍ତି ସକାଳ

ସୂର୍ଯ୍ୟ ନାଁ'ରେ 

ଉଙ୍କି ମାରୁଥିଲା ମୋ ଅଗଣାରେ

ସେ ଏବେ ପଥଭ୍ରଷ୍ଟ।

ମୁଁ ଏବେବି 

ଅଶ୍ବାସନାରେ କାଳ କାଟୁଥିବା 

ଓଁ ଶବ୍ଦ ଉପରର 

ଚନ୍ଦ୍ରବିନ୍ଦୁ ଟିଏ।


ମୋ'ରି ବିସ୍ଥାପିତ ଅଗଣାରେ 

ମୁଁ ଅତିଥି ଆଜି

ପିଣ୍ଡା ଓଗାଳୁଥିବା ଛାଇଟିଏ 

କବି ଟିଏ ଛାଡି ଆସିଥିବା

କାଳି ବିନ୍ଦୁଟିଏ 

ଆକାଶ ମୁହାଁ ହୋଇ

ଓଁ ନାଦରେ ସମର୍ପିତା ଚନ୍ଦ୍ରବିନ୍ଦୁ ଟିଏ ।


ଆସ !

ଗୋଟେ ଅହଙ୍କାର ଉପରେ ଚାଦର ଢାଙ୍କିବା

ବ୍ରହ୍ମକୁ ଭ୍ରମରେ ରଖିବା,

ଏବେବି ମୋକ୍ଷ ମୁହାଁ ହୋଇ 

କେଉଁ ଅନାଗତର 

ପାଦ ଶବ୍ଦ ଅପେକ୍ଷାରେ ଥିବା

ଅର୍ଦ୍ଧଚନ୍ଦ୍ର ଟିଏ ମୁଁ।

ତୁମ ସବୁ ଅପବାଦକୁ 

ଦେହଦୀପରେ ଜାଳି

ପାହାଡ଼ ସେପଟେ ଲୁଚି ଯାଉଥିବା,

ଅସ୍ତଗାମୀ ସ୍ବର୍ଣ୍ଣାଭ ଆକାଶ ଛାତିରେ

ଫିଦିନ ସ୍ନାୟୁ ଯୋଡୁଥିବା

ଅମାନିଆ ଶୀତଳ ଛାପଟିଏ ମୁଁ।


ପାପୀ ନହୋଇ ବି

ତମ ଶେଷ ଅଭିଯୋଗର କଳଙ୍କ କୁ

ଅର୍ଦ୍ଧଚନ୍ଦ୍ର ବଳୟରେ ଏଯାବତ୍

ସାଇତି ରଖିଥିବା

ଓଁ କାର ଉପର 

ଚନ୍ଦ୍ରବିନ୍ଦୁ ଟିଏ ମୁଁ।।

ହଁ କେବଳ ଚଦ୍ରବିନ୍ଦୁ ଟିଏ ମୁଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract