STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ତୁମେ ଏକ ଢଳ ଢଳ ସ୍ଵପ୍ନ

ତୁମେ ଏକ ଢଳ ଢଳ ସ୍ଵପ୍ନ

1 min
203

ବାକ୍ୟଟିଏ ସରିଯାଏ ସିନା ପୂର୍ଣ୍ଣଛେଦ ପରେ

କାହାଣୀ ସରେନା କିନ୍ତୁ ଶେଷ ପୃଷ୍ଠା ପରେ।


ତୁମ ସହ ଶେଷ ଦେଖା ସିନା ସରିଲା ଦ୍ବିଧାରେ

କଥା କିନ୍ତୁ ଲାଖି ରହିଅଛି ଆଜି ବି ଅଧରେ।


ବର୍ଷଟେ ଆୟୁଷ କୋଳେ ଧରି ଆସିଥିଲ ଦିନେ

ଦେଖୁ ଦେଖୁ ବେଳ ଗଲା ବୁଡ଼ି ଦୂର ଦିଗନ୍ତରେ।


ଜୀବନଟା ବନ୍ଧା ନୁହେଁ କେବେ ବର୍ଷ ମାସ ଦିନେ

ମନଭରି ଜିଇଁବାର ଧାରା ସମୟ ଛାତିରେ।


କିଏ କହେ ଫେରିଗଲ ତୁମେ ଅତୀତର ପଥେ

ତୁମେ ପରା ଆସିଅଛ ପୁଣି ନୂଆ ଏକ ରଙ୍ଗରେ।


ଝୁରିବାର ପ୍ରଶ୍ନ ନାହିଁ କେବେ ତୁମ ବିଦାୟର 

ସର୍ବେ ତୁମ ନୂଆ ଅଧ୍ୟାୟର ସ୍ଵାଗତ ଆଶାରେ। 


ତୁମେ କେବେ ପୁରାତନ ନୁହଁ ନୁହଁ ବି ନୂତନ

ନୂଆ କିନ୍ତୁ ଅନୁଭୂତି ଆଣ ପ୍ରତି ପ୍ରଭାତରେ। 


ତାରିଖ କି କ୍ୟାଲେଣ୍ଡର ସିନା ତୁମ ନାମ ଲେଖେ

ତୁମେ କିନ୍ତୁ ଜୀବନ୍ୟାସ ପାଅ ନୂଆ ସଂକଳ୍ପରେ। 


ନୂଆ କିଛି ଆଶା ସ୍ଵପ୍ନ ସହ ଭିନ୍ନ ଯୋଜନାରେ

ତୁମେ ଆସ ରୋମାଞ୍ଚିତ କରି ସ୍ତବ୍ଦ ଚେତନାରେ। 


ନୂଆବର୍ଷ ସ୍ଵାଗତ ତୁମକୁ ସମୟ ସୋପାନେ

ସଂଶୋଧନ ହେଉ ଯେତେ ତ୍ରୁଟି ତୁମ ଇଙ୍ଗିତରେ। 


ତୁମେ ଏକ ଉଲ୍ଲାସର ପଥେ ସାଇତା ସ୍ମୃତିଟେ

ତୁମେ ଏକ ଢଳ ଢଳ ସ୍ଵପ୍ନ ଜୀବନ ପତ୍ରରେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract