ଜୀବନର ସ୍ରୋତ
ଜୀବନର ସ୍ରୋତ


ଅତିକ୍ରମି କେତେ ବନ୍ଧୁର ପଥ
ସୁଖ ଦୁଃଖ ସାଥେ ନେଇ
ଜୀବନ ର ସ୍ରୋତ ନଈଟିଏ ହୋଇ
ସଧିରେ ଯାଉଛି ବହି ।
ଜୀବନ ମରୁର ତପ୍ତ ବାଲିରେ
କଣ୍ଟକିତ ଉପବନ
ଶାଖା ନଦୀ ପୁଣି ଉପନଦୀ ସଙ୍ଗେ
ସନ୍ତାପେ ସନ୍ତପ୍ତ ପ୍ରାଣ ।
ଜନମ ମରଣ ବିଧିର ବିଧାନ
ସତେକି ଅପୂର୍ବ ଶୋଭା
ନୀଳ ନିମ୍ନଗାର ଦୁଇ କୂଳ ଛୁଏଁ
ଲୋହିତ କିରଣ ଆଭା ।
କ୍ଷଣିକ ଅସାର ଜୀବନର ମାୟା
ମରୀଚିକା ପଥ ଛୁଇଁ
ସତ୍ୟ,ଧର୍ମ,ନ୍ୟାୟ ପ୍ରତିଧ୍ୱନି ସାଥେ
ସଗର୍ବେ ଯାଉଛି ଧାଇଁ ।
ସରି ସରି ଆସେ ଜୀବନ ଆୟୁଷ
ଦିନ,ଦଣ୍ଡ,ବର୍ଷ,ମାସ
ଶୁଭେଚ୍ଛା
ର ବାର୍ତ୍ତା ହୃଦୟରେ ବହି
ଆନ ମୁଖେ ଦିଅ ହସ ।
କିଏସେ ଆସିଲା କିଏସେ ବା ଗଲା
ନାହିଁ ଏଠି କା'ର ଚିନ୍ତା
ସ୍ୱାର୍ଥ ସରିତରେ ସନ୍ତରଣ କରି
ସରବେ ଗାଆନ୍ତି ଗାଥା ।
ପର ଉପକାରେ କଟେ ଯା' ଜୀବନ
ସଦ୍ଦିଚ୍ଛାର ଭାଷା କହି
ପୁଣ୍ୟର ସାଗରେ ଦେହ ପଖାଳେ ସେ
ବାସେ ମହ ମହ ହୋଇ ।
ନବ ନିର୍ବାଣର ଦୀପ ଶିଖା ଭଳି
ପରକୁ ଆଲୋକ ଦେଇ
ଜୀବନ, ଯୌବନ, ଜଞ୍ଜାଳ ଫେଇ
ଯବନିକା ଯାଏ ଛୁଇଁ ।
ଶମଶାନ ଡାକେ ପ୍ରୀତି ର ପରଶେ
ଆସ ମୋ କୋଳକୁ ଧନ
ବେଳ ଗଡ଼ିଲାଣି କାଳ ପୁରିଲାଣି
ଛାଡ଼ି ମାନ ଅଭିମାନ ।