ପ୍ରାଣ ପ୍ରିୟ ମହାବାହୁ
ପ୍ରାଣ ପ୍ରିୟ ମହାବାହୁ
ଯିଏ ବା ଯୁଆଡ଼େ ଯାଉକି ନଯାଉ
ମୁଁ ଯିବି ଶିରୀକ୍ଷେତ୍ର
ରଥରେ ଦେଖିବି କାଳିଆ ଧନକୁ
ଆନନ୍ଦେ ପୂରାଇ ନେତ୍ର ll
ରତ୍ନ ସିଂହାସନୁ ଆସିବ ଓହ୍ଲାଇ
ପ୍ରାଣ ପ୍ରିୟ ମହାବାହୁ
ଭାଇ ଭଉଣୀଙ୍କୁ ସଙ୍ଗେ ଧରି ପ୍ରଭୁ
ଚମକିବେ ଦାଉଦାଉ ll
ନନ୍ଦିଘୋଷ ଚଢ଼ି ଯିବ ଗଡ଼ିଗଡ଼ି
ମାଉସୀ ମାଆର ଘର
ଶରଧା ବାଲିରେ ଶିହରଣ ଖେଳି
ମହକିବ ଶତବାର ll
ବିନା ନିମନ୍ତ୍ରଣେ ଲକ୍ଷଲକ୍ଷ ଭକ୍ତ
ଶ୍ରଦ୍ଧାରେ ଆସିବେ ଧାଇଁ
ସ୍ବଦେଶୀ ବିଦେଶୀ ଭାବରେ ମଜ୍ଜିବେ
ଜଗା ଦରଶନ ପାଇ ll
ଭଜନ ଜଣାଣ ଭବ୍ୟ ସଂକୀର୍ତ୍ତନ
ଦେବଦାସୀ ନୃତ୍ୟ ସାଥେ
କମ୍ପିବ ଏ ଧରା ପ୍ରେମେ ଆତ୍ମହରା
ଦିବ୍ୟ ଉନ୍ମୁକ୍ତ ପଥେ ll
ଉର୍ଦ୍ଧ୍ୱେ ବାହୁତୋଳି ହରିବୋଲ ଦେଇ
ନିମଜ୍ଜିତ ଭକ୍ତଗଣ
ନୟନ ପୂରାଇ ଦେଖି ଭାବଗ୍ରାହୀ
ସମର୍ପିବେ ଅଭିମାନ ll
ଧୋଇଦେବ ପାପ କାଳିଆ ଠାକୁର
ନୀଳାଦ୍ରୀ ବିହାରୀ ନାଥ
ଭାଇ ବଳଭଦ୍ର ଭଉଣୀ ସୁଭଦ୍ରା
ବିଜେଥିବେ ତିନି ରଥ ll
ଆଗେ ତାଳଧ୍ଵଜ ମଝିରେ ସୁଭଦ୍ରା
ଦର୍ପଦଳନରେ ଥାଇ
ପଛରେ ଚାଲିବେ ପ୍ରଭୁ କଳାନିଧି
ନନ୍ଦିଘୋଷେ ରହି ରହି ll
ଭାବ ଦିଆନିଆ ଭକ୍ତ ଭଗବାନ
ମଧୁର ମିଳନ ପର୍ବ
ଉତ୍କଳୀୟ ପ୍ରଥା ପୁଣ୍ୟ ପରମ୍ପରା
ଜଗନ୍ନାଥ ଆମ ଗର୍ବ ll
********************
