STORYMIRROR

Geetanjali Prusty

Action

3  

Geetanjali Prusty

Action

ପ୍ରାଣ ପ୍ରିୟ ମହାବାହୁ

ପ୍ରାଣ ପ୍ରିୟ ମହାବାହୁ

5 mins
29


ଯିଏ ବା ଯୁଆଡ଼େ ଯାଉକି ନଯାଉ

ମୁଁ ଯିବି ଶିରୀକ୍ଷେତ୍ର

ରଥରେ ଦେଖିବି କାଳିଆ ଧନକୁ

ଆନନ୍ଦେ ପୂରାଇ ନେତ୍ର ll

ରତ୍ନ ସିଂହାସନୁ ଆସିବ ଓହ୍ଲାଇ

ପ୍ରାଣ ପ୍ରିୟ ମହାବାହୁ

ଭାଇ ଭଉଣୀଙ୍କୁ ସଙ୍ଗେ ଧରି ପ୍ରଭୁ

ଚମକିବେ ଦାଉଦାଉ ll

ନନ୍ଦିଘୋଷ ଚଢ଼ି ଯିବ ଗଡ଼ିଗଡ଼ି

ମାଉସୀ ମାଆର ଘର

ଶରଧା ବାଲିରେ ଶିହରଣ ଖେଳି

ମହକିବ ଶତବାର ll

ବିନା ନିମନ୍ତ୍ରଣେ ଲକ୍ଷଲକ୍ଷ ଭକ୍ତ

ଶ୍ରଦ୍ଧାରେ ଆସିବେ ଧାଇଁ

ସ୍ବଦେଶୀ ବିଦେଶୀ ଭାବରେ ମଜ୍ଜିବେ

ଜଗା ଦରଶନ ପାଇ ll

ଭଜନ ଜଣାଣ ଭବ୍ୟ ସଂକୀର୍ତ୍ତନ

ଦେବଦାସୀ ନୃତ୍ୟ ସାଥେ

କମ୍ପିବ ଏ ଧରା ପ୍ରେମେ ଆତ୍ମହରା

ଦିବ୍ୟ ଉନ୍ମୁକ୍ତ ପଥେ ll

ଉର୍ଦ୍ଧ୍ୱେ ବାହୁତୋଳି ହରିବୋଲ ଦେଇ

ନିମଜ୍ଜିତ ଭକ୍ତଗଣ

ନୟନ ପୂରାଇ ଦେଖି ଭାବଗ୍ରାହୀ

ସମର୍ପିବେ ଅଭିମାନ ll

ଧୋଇଦେବ ପାପ କାଳିଆ ଠାକୁର

ନୀଳାଦ୍ରୀ ବିହାରୀ ନାଥ

ଭାଇ ବଳଭଦ୍ର ଭଉଣୀ ସୁଭଦ୍ରା

ବିଜେଥିବେ ତିନି ରଥ ll

ଆଗେ ତାଳଧ୍ଵଜ ମଝିରେ ସୁଭଦ୍ରା

ଦର୍ପଦଳନରେ ଥାଇ

ପଛରେ ଚାଲିବେ ପ୍ରଭୁ କଳାନିଧି

ନନ୍ଦିଘୋଷେ ରହି ରହି ll

ଭାବ ଦିଆନିଆ ଭକ୍ତ ଭଗବାନ

ମଧୁର ମିଳନ ପର୍ବ

ଉତ୍କଳୀୟ ପ୍ରଥା ପୁଣ୍ୟ ପରମ୍ପରା

ଜଗନ୍ନାଥ ଆମ ଗର୍ବ ll

********************


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action